ଭୁବନେଶ୍ୱର,(ଏଟିଆରବ୍ୟୁରୋ): ସାମାନ୍ୟ ମିଠା ପାଇଁ ବଳି ପଡିଲେ ଅଫିସର । ଛାଡିବାକୁ ପଡିଲା ଗାଦି । କଥାଟା ଟିକେ ଅଖାଡୁଆ ଲାଗୁଥିଲେ ବି ଏମିିତି ଏକ ଘଟଣା ପୂରା ରାଜଧାନୀରେ ଏବେ ହଇଚଇ ସୃଷ୍ଟି କରିଛି । ଆଜ୍ଞା ହଁ ଗୋଟେ ମିଠା ଦୋକାନ ଲାଗି ଜଣେ ଅଫିସରଙ୍କ ବଦଳି ହୋଇଛି । ଆପଣ ଭାବୁଥିବେ ଅଫିସରଙ୍କ ବଦଳି ପଛରେ ମିଠା ଦୋକାନର କ’ଣ କାରଣ ଥାଇ ପାରେ? କିନ୍ତୁ ଯାହା ଆମ ଅନୁସନ୍ଧାନରୁ ଜଣାପଡିଛି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ବି ଘୁରାଇ ଯିବ । ନେତାଙ୍କୁ ଖୁସି କରିବା ଲାଗି ବରିଷ୍ଠ ଅଧିକାରୀମାନେ କିପରି ତଳିଆ ଅଫିସରଙ୍କ ବଳି ପକାଇ ପାରନ୍ତି ଏହା ତାହାର ଏକ ଛୋଟିଆ ଉଦାହରଣ ।
ପୂରା ଘଟଣାଟି ଏହିପରି, ଜଣେ ନେତାଙ୍କ ଚେଲାଚାମଣ୍ଡା ଏକ ମିଠା ଦୋକାନ ପକାଇବା ଲାଗି ଛକରେ ମନ ବଳାଇଥିଲେ । ହେଲେ ଏହାକୁ ବିରୋଧ କରିଥିଲେ ପୁଲିସ ବାବୁ । ବରିଷ୍ଠ ଅଧିକାରୀଙ୍କଠୁ ଅନୁମତି ଆଣିଲେ ଦୋକାନ ପକାଇ ପାରିବ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଯାହା ଚେଲାଚାମଣ୍ଡାଙ୍କୁ ଭାରି ବାଧିଥିଲା । ପରେ ଖୋଦ୍ ନେତା ଜଣଙ୍କ ଉକ୍ତ ଅଫିସରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ନେତାଙ୍କ ଫୋନ୍ ପାଇ ବି ପୂରା ନଚ୍ଛୋଡବନ୍ଧା ଥିଲେ ଅଫିସର । ସେହି ସମାନ କଥା ଦୋହରାଇ ଥିଲେ ବରିଷ୍ଠ ଅଫିସରଙ୍କ ଅନୁମତି ଆଣ, ଦୋକାନ ପକାଅ ମୋର କିଛି ଯାଏ ଆସେ ନାହିଁ । ଯାହା ନେତାଙ୍କୁ ଭାରି ବାଧିଥିଲା । ପରେ ଏହି କଥା ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲା । ଉପରିସ୍ଥ ଅଧିକାରୀ ବି ଅଫିସରଙ୍କ ଏଭଳି ସଚ୍ଚୋଟତାକୁ ଦେଖି ଫୋନରେ ବାହାବାଃ ଜଣାଇଥିଲେ ।
ହେଲେ ସେହି ବାହାବାଃ ପଛରେ ବଡ଼ ଷଡଯନ୍ତ୍ର ଥିଲା ବୋଲି ଏବେ ଚର୍ଚ୍ଚା ଚାଲିଛି । ଏମିତି କହିବାର କାରଣ ହେଉଛି ବରିଷ୍ଠ ଅଧିକାରୀଙ୍କ ଫୋନ କରିବାର ୩ଦିନ ହୋଇନଥିଲା ଅଚାନକ୍ ବାବୁଙ୍କ ବଦଳି ହୋଇଗଲା । ଯାହା ପ୍ରମାଣ କରୁଛି ବେଆଇନ୍ ମିଠା ଦୋକାନ ପକାଇବାକୁ ଅନୁମତିି ନଦେବାରୁ ବିଚରା ଅଫିସରଙ୍କୁ ବଳି ପକାଇ ଦିଆଗଲା । ପୂରା ଘଟଣାକୁ ଗୁରୁତର ସହ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଏଠି ସାଲିସ ନକଲେ ବଞ୍ଚିବା ମୁସ୍କିଲ । ଶେଷରେ ଏତିକି କହିବୁ ନେତାମନ୍ତ୍ରୀ ଏପରିକି ବରିଷ୍ଠ ଅଧିକାରୀଙ୍କ ସହ ସାଲିସ କରିନଥିବା ଏଭଳି ଅଫିସର ଯଦି ବାସ୍ତବରେ ସମସ୍ତେ ସାମ୍ନାକୁ ଆସନ୍ତେ ତେବେ ଲୋକେ ପୁଲିସ ଉପରେ ହରାଉଥିବା ବିଶ୍ୱାସ ପୁଣି ଜୁଟାଇ ପାରନ୍ତେ । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍
ବିଦ୍ର( ଠୋସ ପ୍ରମାଣ ସହ ଏ ସମ୍ପର୍କିତ ଆଉ ଏକ ଖବର ପ୍ରକାଶ ପାଇବ…ଏଇଟା ମାତ୍ର ଟ୍ରେଲର)