ଭୁବନେଶ୍ୱର( ଏଟିଆର ବ୍ୟୁରୋ): ପୁଣି ବିବାଦରେ ପପୁ ପମପମ ଓରଫ ତତ୍ୱ ପ୍ରକାଶ ଶତପଥି । କିଛି ଦିନ ନିରବତା ପରେ ପୁଣି ବିବାଦରେ ହାସ୍ୟ ଅଭିନେତା ପପୁ ପମପମ । ନିଜ ବକ୍ତବ୍ୟକୁ ନେଇ ବିବାଦ ନୁହେଁ ବିବାଦ ହେଉଛି ତାଙ୍କ ପୋଷ୍ଟରକୁ ନେଇ । ଯେଉଁ ପୋଷ୍ଟରଟି ହେଉଛି ଅପକମିଙ୍ଗ ଓଲିଉଡ ଫିଲ୍ମ ମିଷ୍ଟର କହ୍ନେୟା । ଯାହା ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି । ଅନ୍ୟପଟେ ସୋସିଆଲ ମିଡିଆରେ ପୋଷ୍ଟରଟି ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯିବା ସହ, ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମିସ୍ ଲିଙ୍କନ ସୁବୁଧି ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପୋଷ୍ଟର ଯୋଗେ ମହିଳାମାନଙ୍କ ପ୍ରତି ଅପମାନିତ କରାଯାଇଥିବାରୁ ଅଭିନେତା ପପୁଙ୍କ ସମେତ, ଫିଲ୍ମ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଏବଂ ନିର୍ଦ୍ଦେଶକ ରମେଶ ରାଉତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଫିଲ୍ମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି ହୋଇଛି ।
ଗଣେଷ ପୂଜାରେ ରିଲିଜ ହେବାକୁ ଯାଉଥିବା ଓଡିଆ ଫିଲ୍ମ ମିଷ୍ଟର କହ୍ନେୟାର ଏହି ପୋଷ୍ଟରକୁ ଦେଖି ଏହା ଚର୍ଚ୍ଚା ହେଉଛି କି ପପୁ ପମପମ ମହିଳା ମାନଙ୍କୁ ଅପମାନିତ କରିଛନ୍ତି । ଯେଉଁ ପୋଷ୍ଟରରେ ପପୁ ପମପମ ଏକ ରଥର ସାରଥି ହୋଇ ଚିତ୍ରିତ ହୋଇଛନ୍ତି । ଏହି ରଥର ଘୋଡା ଭାବେ ସାତ ଜଣ ଯୁବତୀଙ୍କୁ ରଖାଯାଇଛି । ଯେଉଁମାନଙ୍କର ନିୟନ୍ତ୍ରଣ ପପୁ ପମପମ ବା ମିଷ୍ଟର କହ୍ନେୟାଙ୍କ ହାତରେ ରହିଛି । ଏଭଳି ଶସ୍ତା ଚିତ୍ରଣଙ୍କୁ ନେଇ ସୋଶଲ ମିଡିଆରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯେଉଁଥି ପାଇଁ ପୁଣି ବିବାଦ ଘେରକୁ ଠେଲି ହୋଇ ଯାଉଛନ୍ତି କମେଡି କିଙ୍ଗ ପପୁ ପମପମ ।
ପୂର୍ବରୁ କାଷ୍ଟିଙ୍ଗ କାଉଚ ଭଳି ସଙ୍ଗିନ ଅଭିଯୋଗରେ ବଦନାମ ହୋଇଥିବା ପପୁ ପମପମ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇ ବେଶ ଚର୍ଚ୍ଚାରେ ଥିଲେ । ଯେଉଁଥି ପାଇଁ ସେ କାଳି ମାଡ ଖାଇଥିଲେ ଓ ବିବାଦୀୟ ମନ୍ତବ୍ୟର ସମାଧାନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ । ଏବେ ପୁଣି ଥରେ ମହିଳାଙ୍କୁ ଅପମାନ କରିବା ଭଳି ପୋଷ୍ଟର ରେ ଦେଖାଯିବାରୁ ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି । ତେବେ ଏନେଇ ପୁପୁ ପମପମଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ ।