ପଟ୍ଟାମୁଣ୍ଡାଇ (ଏଟିଆର ବ୍ୟୁରୋ): ସମୁଦ୍ର ମଧ୍ୟରେ ବିଭିନ୍ନ ବିରଳ ପ୍ରଜାତିର ମାଛ ଓ ଜୀବ ଦେଖିବାକୁ ମିଳିଥାନ୍ତି । ସେହିଭଳି ଏକ ବିରଳ ପ୍ରଜାତିର ମାଛ ଏବେ ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ପଡିଥିଲା ଏକ ବିରଳ ପ୍ରଜାତିର ମାଛ । ଏହି ମାଛକୁ ‘ମୟୁର ମାଛ’ ବୋଲି କୁହାଯାଉଥିବା ବେଳେ ଏହା ଦେଖିବାକୁ ଲମ୍ବାଳିଆ ଓ ତାର ମୁହଁ ଥଣ୍ଟ ଆକୃତିର ହୋଇଛି ।
ମାଛଟିର ମୂଲ୍ୟ କିଲୋ ପିଛା ୧୦ ହଜାର ଟଙ୍କା ରଖାଯାଇଥିବା ବେଳେ ମାଛଟିର ଓଜନ ୨୦କେଜି ହୋଇଥିବାରୁ ଏହାର ଦାମ ୨ଲକ୍ଷ ଟଙ୍କା ହେବ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି । ଦୀଘାରେ ମାଛଟିକୁ ବିକ୍ର କରାଯିବା ନିମନ୍ତେ କଥା ବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରାକୁ ପଠାଇ ଦିଆଯାଇଛି , ସେଠାରୁ ମାଛକୁ ଦୀଘା ପଠାଯିବ ବୋଲି ଜଣାପଡିଛି । ଆଜି ସକାଳେ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ବୋଟ ନେଇ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ମଦନ ଦେବନାଥ ନାମକ ମତ୍ସ୍ୟଜୀବୀର ଜାଲରେ ଏହି ମାଛଟି ପଡ଼ିଥିଲା । ମାଛ ବିଷୟରେ ଖବର ପ୍ରଚାରିତ ହେବା ପରେ ଏହାକୁ ଦେଖିବା ପାଇଁ ରାଜନଗର ତାଳଚୁଆଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।