ଭୁବନେଶ୍ୱର(ଏଟିଆରବ୍ୟୁରୋ): ଗତକାଲି ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସ୍ପଷ୍ଟ କରିଛନ୍ତି । ବାଗଚୀ କହିଛନ୍ତି ଯେ, ୩୩ ବର୍ଷୀୟ ଜଣେ ଯୁବକ କରୋନା ଭାଇରସର ଶିକାର ହୋଇଛନ୍ତି । ଗତକାଲି ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜା ଚାଲିଛି । ନିକଟରେ ଯୁବକ ଜଣଙ୍କ ଇଟାଲୀରୁ ଫେରିଛନ୍ତି ।
ଏହା ସହ ସୁବ୍ରତ ବାଗଚୀ ଗଣମାଧ୍ୟମ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ଯେଉଁ ଥିରେ ସୁବ୍ରତ ବାଗଚୀ ଗଣମାଧ୍ୟମକୁ ଆକ୍ରାନ୍ତ ରୋଗୀ, ସନ୍ଦିଗ୍ଧଙ୍କ ନାମ ପରିଚୟ ଗୋପନରେ ରଖିବାକୁ କହିଛନ୍ତି । ଏହା ସହ ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ କରନ୍ତୁନି, ଦାୟିତ୍ୱ ସଂପନ୍ନ ଭାବେ ଖବର ପରିବେଷଣ କରନ୍ତୁ, ଚିକିତ୍ସା ବେଳେ ଖବର ପରିବେଷଣ କରନ୍ତୁ ନାହିଁ ବୋଲି ସୁବ୍ରତ ବାଗଚୀ କହିଛନ୍ତି । ଯଦି କେହି ଏହି ଗାଇଡ ଲାଇନକୁ ନ ମାନନ୍ତି ତେବେ ଆଇନ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।