ଜୟପୁର (ଏଟିଆର ବ୍ୟୁରୋ); ମାଟିଆ ପୋଷାକ ଦେଖିଲେ ସାଧାରଣ ଲୋକଙ୍କ ମନରେ ଟିକେ ଭୟ ଆସିଥାଏ । ଏଣୁ ଏହି ପୋଷାକର ଖରାପ ବ୍ୟବହାର କରି ଲୋକଙ୍କୁ ଠକୁଥିଲେ ଦୁବୃର୍ତ୍ତ ଦଳ । ଖବର ପାଇବା ପରେ ଏହି ନକଲି ପୋଲିସ ଉପରେ ମାଡିବସିଛନ୍ତି ଅସଲି ପୋଲିସ । ତେବେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଜୟପୁର ଜିଲ୍ଲାରେ । ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କଠାରୁ ଠକୁଥିଲେ ଲକ୍ଷାଧିକ ଟଙ୍କା । ପୋଲିସର ପରିଚୟ ଦେବା ଫଳରେ ଲୋକମାନେ ମଧ୍ୟ ଡରି ଏମାନଙ୍କୁ ପଇସା ଦେଉଥିଲେ । ଏହି ଡକାୟତ ଦଳ ଜିଲ୍ଲାର ବିଭିନ୍ନ ଜାଗାରେ ଚଢ଼ାଉ ଏବଂ ଚେକିଂ କରିବା ନାଁରେ ଠକୁଥିଲେ ଲୋକଙ୍କୁ ।
ନକଲି ପୋଲିସ ବେଶରେ ଥିବା ୮ ଜଣ ଡକାୟତ ଦଳକୁ ଗିରଫ କରିଛି ପୋଲିସ । ଏମାନେ ଜୟପୁର ପାୱାର ହାଉସରେଠାରେ ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲେ ଅସଲ ପୋଲିସ । ହଠାତ ଏହି ଗୋଷ୍ଠୀ ଉପରେ ଚଢ଼ାଉ କରି ଏହି ୮ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ପାଖରୁ ୧୨ଟି ମୋବାଇଲ ୨ଟି ଛୁରୀ ନକଲି ବନ୍ଧୁକ ,ଲାଠି ଏବଂ ୫ ହଜାର ୬୩୦ ଟଙ୍କା ଜବତ କରିଛି । ଗିରଫ ହୋଇଥିବା ୮ ଜଣ ଡକାୟତଙ୍କ ମଧ୍ୟରୁ ୪ ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ ଜଣେ ବିହାର, ଜଣେ କଳାହାଣ୍ଡି ଏବଂ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।