ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଦ୍ମବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ଭକ୍ତଙ୍କୁ ଆଜି ଶ୍ରୀଜିଉ ପଦ୍ମ ବେଶରେ ଦର୍ଶନ ଦେଇଛନ୍ତି । ପଦ୍ମ ବେଶ ଏକ ଭାବମୂଳକ ବେଶ ଅଟେ । ପ୍ରତିବର୍ଷ ମାଘ ମାସ ଅମାବାସ୍ୟା ପରେ ଏବଂ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷକୁ ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ ହୋଇଥାନ୍ତି ଯାହାଫଳରେ ମହାପ୍ରଭୁଙ୍କର ବଡସିଂହାର ବେଶ ହୁଏ ନାହିଁ । ଏହି ପଦ୍ମ ବେଶରେ ମହାପ୍ରଭୁ ମୁଖପଦ୍ମ ସହିତ, ପଦ୍ମ ପାଖୁଡା, ବେତ ନିର୍ମିତ ଓ ସୋଲ ପଦ୍ମ ଖଚିତ ଏକ ତ୍ରିକୋଣର ଟାହିଆ ଲାଗି କରାଯାଏ । ଏହା ସହ ଶ୍ରୀଭୁଜରେ ପଦ୍ମ କଳିକା ଲାଗି କରାଯାଇଥାଏ । ଏହି ବେଶକୁ ବଡଛତାମଠ ଦ୍ୱାରା କରାଯାଏ ।
ମଠ ପକ୍ଷରୁ ପଦ୍ମବେଶ ପାଇଁ ଆବଶ୍ୟକ ଥିବା ଜରି, ସୋଲ, କଦଳୀ ପଟୁଆ, କନା, କଇଥ ଅଠା ରଙ୍ଗ ଆଦି ଯୋଗାଇ ଦିଆଯାଇଥାଏ । ଖାଲି ସେତି କି ନୁହେଁ ମଠ ପକ୍ଷରୁ କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦିଆଯାଇଥାଏ ଯାହାକୁ କି କୋଠଭୋଗ ଚୁଲିରେ ବ୍ୟବହାର କରି କ୍ଷୀର ଓ ଅମାଲୁ ଭୋଗ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ପାଖରେ ପ୍ରସାଦ ଲାଗି କରାଯାଇଥାଏ । କୁହାଯାଏ ଏହି ପରମ୍ପରାଟି ପାଖାପାଖି ୩୦୦ ବର୍ଷର ପରମ୍ପରା ଅଟେ । କିମ୍ବଦନ୍ତୀ ଅନୁସାରେ ମନୋହର ଦାସ ନାମକ ଜଣେ ସାଧୁ ଥିଲେ । ଏକଦା ସେ ମହାପ୍ରଭୁଙ୍କର ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ଆସିଥାନ୍ତି । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସେ ଦୀର୍ଘ ଦିନ ଚାଲି ଚାଲି ଶ୍ରୀକ୍ଷେତ୍ର ଆସୁଥିଲା ବେଳେ ଦିନେ ତାଙ୍କୁ ବାଟରେ ଭୀଷଣ ଶୋଷ ହେଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧ୍ୟରେ ଅନେକ ପଦ୍ମ ଫୁଲ ଫୁଟିଛି।
ସେ ତାହା ଦେଖି ଆଶ୍ଚର୍ୟ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କଲେ । ଏ ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ ଆଦେଶ ଦେଇଥିଲେ, ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ତାଙ୍କର ବଡ଼ସିଂହାର ବେଶ ହେବ । ସେବେ ଠାରୁ ଏହି ବେଶ ଶ୍ରୀମନ୍ଦିରରେ ଶ୍ରୀ ଜିଉଙ୍କର ଏହି ବେଶ ଅନୁଷ୍ଠିତ ହୋଇଆସୁଛି ।