ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱର ମଧ୍ୟରେ ଥିବା ପାର୍କ ମାନଙ୍କରେ ଆରମ୍ଭ ହୋଇଯାଇଛି ପାର୍କ ଉତ୍ସବ । ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଅୟୋଜିତ କରାଯାଉଛି । ପୂର୍ବରୁ ବିଡିଏ ଦ୍ୱାରା ଆୟୋଜିତ କରାଯାଉଥିବା ପଥ ଉତ୍ସବ ଭଳି ଏହି ପାର୍କ ଉତ୍ସବ ଆୟୋଜିତ କରାଯିବ । ପଥ ଉତ୍ସବ ପ୍ରତି ସହରବାସୀଙ୍କ ଆଗ୍ରହ ଦେଖି ଏହି ପାର୍କ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ଏହା ପ୍ରତି ରବିବାର ସକାଳ ୭ଟାରୁ ଆରମ୍ଭ ହୋଇ ୯ଟା ପର୍ଯ୍ୟନ୍ତ ଚାଲିବ । ଏହି ପାର୍କ ଉତ୍ସବରେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ଗପ କହିବା ପରି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି ପାର୍କ ଉତ୍ସବରେ ୟୁନିଟ -୨ ସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ଓ ପୋଖରୀପୁଟ ସ୍ଥିତ ମଧୁସୂଦନ ଦାସ ପାର୍କରେ ପ୍ରଥମ ପର୍ଯ୍ୟାଯରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି ।
ତେବେ ପରବର୍ତ୍ତୀ ରବିବାର ଅର୍ଥାତ ୯ ତାରିଖରେ ବିଜୁ ପଟ୍ଟନାୟକ ଓ ବୁଦ୍ଧ ଜୟନ୍ତୀ ପାର୍କ, ଫେବୃଆରୀ ୧୬ ତାରିଖରେ ମହାତ୍ମା ଗାନ୍ଧି ଓ ଖାରବେଳ ପାର୍କ, ଫେବୃଆରୀ ୨୩ ତାରିଖରେ ନିକୋ ପାର୍କ ଓ ମଧୁ ସୂଦନ ପାର୍କ, ମାର୍ଚ୍ଚ ୧ ତାରିଖରେ ଇନ୍ଦିରା ଗାନ୍ଧି ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ, ମାର୍ଚ୍ଚ ୮ ତାରିଖରେ ବିଜୁ ପଟ୍ଟନାୟକ ପାର୍କ ଓ ଖାରବେଳ ପାର୍କ, ମାର୍ଚ୍ଚ ୧୫ ତାରିଖରେ ନିକୋ ପାର୍କ ଓ ମଧୁ ସୂଦନ ପାର୍କ ଏହି ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ୱାଲ ପେଣ୍ଟିଂ, କାହାଣୀ କହିବା , ଯୋଗ, ମାଟି ପାତ୍ର ନିର୍ମାଣ, ମନୋରଂଜନ, ସଚେତନତା ମୂଳକ ଆଦି କାର୍ଯ୍ୟକ୍ରମ ଏହି ପାର୍କ ଉତ୍ସବରେ ଦେଖିବାକୁ ମିଳିବ । ବିଏମସି ଦ୍ୱାରା ମୋ ସଫେଇୱାଲା କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଟ୍ରାଫିକ ନିୟମ ପ୍ରତି ଲୋକଙ୍କୁ ସଚେତନାର କରାଇବା ନିମନ୍ତେ ଏସିପି ଟ୍ରାଫିକ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ପାର୍କର ସୁରକ୍ଷା ନିମନ୍ତେ ୧୦ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ ।