କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ପାଟକୁରାରେ ବିଧାନସଭା ଆସନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କଲା ପରେ ପାଟକୁରାରେ ରାଜନୈତିକ ପାଣିପାଗ ଟିକେ ଉଷ୍ମ ହୋଇଛି । ସେଠାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହେବା ପରେ ରାଜନୈତିକ ବିଶେଷଜ୍ଞ ମାନେ ଆରମ୍ଭ କରି ସାରିଲେଣି ତର୍ଜମା । କାହା ମୁଣ୍ଡରେ ଏଠାରେ ହାତୀ ସୁନା କଳସୀ ଢାଳିବ ତାକୁ ନେଇ ଚାଲିଛି ଆଲୋଚନା । ଯେହେତୁ ଉକ୍ତ ଆସନଟି ବିଜେଡିର ଏକ ଗଡ ଭାବେ ପରିଚିତ ତଥାପି ଚଳିତ ଥର କିଛି କହି ହଉନି ।
ଏଠାରେ ଲଗାତାର ୨୦୦୯ ମସିହା ରୁ ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ଦଖଲରେ ରହିଥିଲା । ମାତ୍ର ବେଦ ପ୍ରକାଶଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀଙ୍କୁ ଏହାର ଅନୁକମ୍ପା ଭୋଟ ଚାଲିଯିବ ବୋଲି ଆଲୋଚନା ହେଉଛି । କିନ୍ତୁ ଏ ଭିତରେ ଯେହେତୁ ଚଳିତ ଥର ବିଜେପି ପକ୍ଷରୁ ବିଜୟ ମହାପାତ୍ର ମୈଦାନରେ ଅଛନ୍ତି କଥା କିଛି ସ୍ପଷ୍ଟ ହୋଇପାରୁନି । କାରଣ ଏକ୍ତ ଆସନରେ ବେଦଙ୍କ ପରି ବିଜୟ ମଧ୍ୟ ଜଣେ ଲୋକପ୍ରିୟ ନେତା । ସେ ମଧ୍ୟ ୧୯୮୦ ମସିହା ଠାରୁ ଲଗାତାର ୧୯୯୫ ମସିହା ନିର୍ବାଚନ ପର୍ଯ୍ୟନ୍ତ ଜିତି ଆସୁଥିଲେ ଜନତା ଦଳରୁ । ତେଣୁ ସେଠାରେ ବିଜୟଙ୍କର ନିଜସ୍ୱ ଭୋଟବ୍ୟାଙ୍କକୁ ଏଡାଇ ଦିଆଯାଇ ନପାରେ । ତେବେ ଗତ ୨୦୧୪ ନିର୍ବାଚନରେ ଏଠାରେ ବିଜୟ ମହାପାତ୍ର ନିର୍ବାଚନ ଲଢିନଥିଲେ ।
ସେହଭଳି ଭୋଟକୁ ଯଦି ନଜର ପକାଇବା ସେଠାରେ ୨୦୦୯ରେ ବେଦ ପ୍ରକାଶ ୭୧୭୨୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ଲଢୁଥିବା ବିଜୟ ମହାପାତ୍ର ୪୪୯୯୦ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ରେ ବେଦପ୍ରକାଶ ଅଗ୍ରୱାଲଙ୍କ ଭୋଟ ବଢିଥିଲା ସେ ୮୯୮୫୩ ଖଣ୍ଡ ଭୋଟ ପାଇଥିଲେ । ସେହିଭଳି ୨୦୦୯ ରେ କଂଗ୍ରେସ ତୃତୀୟ ସ୍ଥାନରେ ଥିବା ବେଳେ ୨୦୧୪ ରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଚଳିତ ଥର ଏଠାରେ ସାବିତ୍ରୀ ନବୀନଙ୍କ ଲୋକପ୍ରିୟତା ସହିତ ସ୍ୱାମୀଙ୍କ ଅନୁକମ୍ଫା ହାତେଇବା ପାଇଁ ଚେଷ୍ଟା କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ବିଜୟ ମହାପାତ୍ର ମୋଦି ଲହରରେ ଗଡ ଦଖଲ କରିବା କଥାକୁ ମଧ୍ୟ ଏଡାଇ ଦିଆଯାଇପାରେ ।