କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ) : ବନ୍ଧା ପଡିଗଲେ ବିଜୟ ମହାପାତ୍ର ! ଏବେ ଏମିତି ଏକ କଥା ଚା ଦୋକାନ ଠାରୁଚ ତାସ ଖଟି ଚାରିଆଡେ ଶୁଣିବାକୁ ମିଳୁଛି । ସବୁ ଆଡେ ଆଲୋଚନାରେ ପ୍ରାୟତ ଏହି ଗୋଟିଏ ପ୍ରସଙ୍ଗ ରହିଛି । କେନ୍ଦ୍ରରେ ବିଜେପି ପ୍ରତି ବିଜେଡିର ଆଭିମୁଖ୍ୟକୁ ଦେଖି ଏମିତି ଆଲୋଚନା ହେଉଥିବା ଜଣାପଡିଛି । ଚଳିତ ନିର୍ବାଚନ ବେଳେ ଦୁଇ ଦଳ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା । ଜଣା ପଡୁଥିଲା ସତେ ଯେମିତି ବିଜେଡି ଛାଇ ଦେଖିଲେ ବିଜେଡି ନାହି ଡେଉଁଛି । ହେଲେ ନିର୍ବାଚନ ପରେ କଥା ପୁରା ଓଲଟା ହେଲା ।
କେନ୍ଦ୍ରରେ ବିଜେପିର ସମସ୍ତ ପ୍ରସଙ୍ଗକୁ ଏବେ ସମର୍ଥନ କରିବାରେ ଲାଗିଛି ବିଜେଡି । ନୀତି ଆୟୋଗ ବୈଠକ ଠାରୁ ଆରମ୍ଭ କରି ଏବେ ରାଜ୍ୟ ସଭା ଉପନିର୍ବାଚନ ଏ ସବୁଥିରେ କେଉଁଠି ନା କେଉଁଠି ବିଜେଡି ଓ ବିଜେପି ମଧ୍ୟରେ ଭଲ ସଂମ୍ପର୍କ ରହିଥିବା ବାରି ହୋଇ ପଡୁଛି । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ କଥାଟା ଆହୁରି ଅଧିକ ଚର୍ଚ୍ଚାକୁ ଆସିଛି । ଚଳିତ ନିର୍ବାଚନରେ ୧୪୭ ଟି ବିଧାନସଭା ଆସନ ମଧ୍ୟରୁ କେବଳ ପାଟକୁର ନିର୍ବାଚନ ମଣ୍ଡଳିକୁ ଛାଡିଦେଲେ ବାକି ୧୪୬ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପାଇଁ ସେଠାରେ ନିର୍ବାଚୀନକୁ ସ୍ଥଗିତ ରଖାଯାଇଥିଲା । ଉକ୍ତ ଆସନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଦଳ ପ୍ରାର୍ଥୀ କରିଛି । ନିର୍ବାଚନ ପାଇଁ ଯେଉଁ ତାରିଖ ଘୋଷଣା ହୋଇଥିଲା ତାହା ବାତ୍ୟା ଫୋନି ପାଇଁ ପୁଣି ଘୁଞ୍ଚିଥିଲା । ହେଲେ ଏବେ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ପାଟକୁରାରେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି । ତିନି ପ୍ରମୁଖ ରାଜନୈତିକ ଦଳ ସଜ ହେଲେଣି ମୈଦାନକୁ ଆସିବାକୁ । ହେଲେ ଏବେ କଥା ଉଠୁଛି ବିଜେପି ନିର୍ବାଚନ ବେଳେ ବିଜେଡି ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବ ନାଁ ନରମୀ ଯିବ, ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।