କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ପାଟକୁରାରେ ପଟ ଜିତିଲେ ସାବିତ୍ରୀ । ପୁଣି ବିଜୟଙ୍କୁ ଦେଲେ ଚକମା । ମଡାଇ ଦେଲେ ନି ବିଧାନସଭା । ପାଟକୁରାରେ ପୁଣି ବିଜୟଙ୍କ ପରାଜୟ ନେଇ ଏବେ ଚାରିଆଡେ ସେଇ ଗୋଟିଏ କଥା ଶୁଣିବାକୁ ମିଳୁଛି । କ’ଣ ହେବ ବିଜୟଙ୍କ ରାଜନୈତିକ କ୍ୟାରିଅର? ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜୁ ପଟ୍ଟନାୟକଙ୍କ ସମୟରେ ଲଗାତାର ଚାରିଥର ବିଜୟ ହୋଇଥିବା ବେଳେ ତାଙ୍କ ପୁଅ ନବୀନ ପଟ୍ଟନାୟକ ଚାରିଥର ହରାଇ ସାରିଲେଣି । ଦୀର୍ଘ ୧୯ ବର୍ଷ ପରେ ବିଧାନସଭା ଫେରିବାକୁ ବିଜୟ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଧୂଳିସାତ କରିଦେଲା ବିଜେଡି । ପ୍ରଶ୍ନ ଉଠୁଛି ବିଜୟ ଏବେ ରାଜନୀତିର କେଉଁ ପନ୍ଥା ଆପଣାଇବେ। ରାଜନୀତିରୁ ଦୂରେଇ ଯିବେ ନାଁ ପୁଣି ପୂର୍ବଭଳି ସକ୍ରିୟ ରହିବେ । ତାକୁ ନେଇ ଏବେ ବିଜେପି କର୍ମୀ ଆଶଙ୍କାରେ । ଚାଲିଛି ଅଙ୍କ କଷା ।
ଅନ୍ୟପଟେ ଗତକାଲି ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପାଟକୁରା ନିର୍ବାଚନ ଫଳାଫଳ ମତେ ଆଶ୍ଚର୍ୟ୍ୟାନ୍ଵିତ କରିଛି। ଲୋକମତ ମୋ ସପକ୍ଷରେ ଥିଲା। ତେବେ ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡ଼ିବ। ଲୋକଙ୍କ ରାୟକୁ ମାନିବାକୁ ପଡ଼ିବ। ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ଅଛି। ସେ ଏନେଇ ସିଧା ବିଜେଡିକୁ ଟାର୍ଗେଟ କରିଛନ୍ତି । ମାଳମାଳ ନେତା ପାଟକୁରାକୁ ଘେରା ବନ୍ଦୀ କରି ରଖିଥିଲେ । ପ୍ରଚୁର ଟଙ୍କା ବଣ୍ଟାଯିବା କଥା ମଧ୍ୟ ଉଠାଇଛନ୍ତି । ପରାଜୟର କାରଣ ଖୋଜା ଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଅନ୍ୟପଟେ ଆଉ ଗୋଟେ କଥା ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଭୋଟ କୁଆଡେ ଗଲା ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଂଗ୍ରେସ ଭଳି ଗୋଷଯ ଜାତୀୟ ଦଳର ପ୍ରାର୍ଥୀ ମାତ୍ର ୨୦୦୦ ଭୋଟ ପାଇବା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କଂଗ୍ରେସ କାହାକୁ ଭିତରି ସମର୍ଥନ କରିଛି ତାକୁ ନେଇ ଜୋର ଧରିଛି ଆଲୋଚନା ।
ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭା ଆସନ ଓ ପାଟକୁରା ବିଧାନସଭା ଆସନ ଥିଲା ନିର୍ବାଚନର ହାଇଭୋଲଟେଜ ଲଢେଇ । ଏହି ଦୁଇଟି ଆସନକୁ ଉଭୟ ବିଜେଡି ଓ ବିଜେପି ଗୁରୁତ୍ୱକୁ ନେଇ ମୈଦାନକୁ ଓହ୍ଲାଇଥିଲେ । ଯୋଗକୁ ନିର୍ବାଚନ ପୂର୍ବରୁ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା । ଯେଉଁ କାରଣରୁ ପାଟକୁରା ବିଧାସଭା ଆସନ ପାଇଁ ନିର୍ବାଚନ ତାରିଖ ବଦଳିଥିଲା । ଲୋକସଭାରେ ବିଜେପି ପ୍ରାର୍ଥୀ ପରାଜିତ ହୋଇଥିଲେ । ଦଳ ଆଶା କରିଥିଲା ବିଜେପି ପାଟକୁରା ନିର୍ବାଚନରେ ଭଲ କରିବ ବୋଲି । ତେବେ ଫୋନି ବାତ୍ୟା କାରଣରୁ ପୁଣି ତାରିଖ ବଦଳି ଥିଲା । ଭାରତର ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇଦେଇଥିଲେ ।
ଶେଷରେ ଜୁଲାଇ ୨୦ତାରିଖରେ ପାଟକୁରା ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କଂଗ୍ରେସର ଜୟନ୍ତ ମହାନ୍ତି, ବିଜେପିର ବିଜୟ ମହାପାତ୍ର ଏବଂ ବିଜେଡିର ସାବିତ୍ରୀ ଅଗ୍ରଓ୍ବାଲଙ୍କ ସମେତ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ପ୍ରଚାର ଜୋରଦାର ହୋଇଥିଲା । ବିଜେଡିର ମାଳ ମାଳ ବିଧାୟକ ଓ ମନ୍ତ୍ରୀ ଡେରା ପକାଇଥିଲେ ପାଟକୁରାରେ । ଅନ୍ୟପଟେ ବିଜେପି ପାଇଁ ମଧ୍ୟ ଦଳର ବହୁ ହେବିୱେଟ ନେତା ମୈଦାନକୁ ଓହ୍ଲାଇଥିଲେ । ହେଲେ ଶେଷରେ ବାଜି ମାରିନେଲା ବିଜେଡି । ଶେଷ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୫୧୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୭୭୫୦୭ ଖଣ୍ଡ ଭୋଟ ଏବଂ କଂଗ୍ରେସକୁ ୨୦୯୦ ଖଣ୍ଡ ଭୋଟ ମିଳିଥିଲା । ୧୭୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଙ୍କୁ ପରାସ୍ତ କରଛନ୍ତି ସାବିତ୍ରୀ ।