ନବରଙ୍ଗପୁର ( ଏଟିଆର ବ୍ୟୁରୋ): ଗାଁକୁ ନାହିଁ ଉପଯୁକ୍ତ ରାସ୍ତା । ରୋଗ ହେଲେ ରୋଗୀଙ୍କୁ ଖଟିଆ ଭରଷା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି । ଚିର ନିଦ୍ରାରେ ସରକାର! ରାଜ୍ୟ ବିକାଶ ପଥରେ ଅଗ୍ରସର ନାରା ଦେଉଥିବା ସରକାର ଭଲ କରି ଦେଖନ୍ତୁ ଏହି ଛବିକୁ । କେମିତି ଦୟନୀୟ ଅବସ୍ଥାରେ ରୋଗୀଙ୍କୁ ନିଆଯାଉଛି ଚିକିତ୍ସାଳୟ । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବାଲିପଟା ଗ୍ରାମର । ଖଟିଆରେ ବୁହା ହେଉଥିବା ଜଣେ ରୋଗୀଙ୍କର ।
ସୂଚନା ଅନୁସାରେ ଉକ୍ତ ଗ୍ରାମର ମାଣିକ ଶାନ୍ତଙ୍କ ଦେହ ବହୁତ ଅସୁସ୍ଥ ରହିଥିଲା । ଫଳରେ ଗ୍ରାମବାସୀମାନେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଏକ ଅଟୋ ଡାକିଥିଲେ । ମାତ୍ର ରାସ୍ତା ଖରାପ ଥିବାରୁ ଗାଡି ଗ୍ରାମ ଭିତରକୁ ଯାଇ ପାରିନଥିଲା । ବାଧ୍ୟ ହୋଇ ଗ୍ରାମବାସୀ ମାନେ ଏକ ଖଟିଆରେ ପାଖାପାଖି ୨ କିଲୋମିଟର ଭାର କରି ଆଣିଥିଲେ ଅଟୋ ପର୍ଯ୍ୟନ୍ତ । ପରେ ତାଙ୍କୁ ପାଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପୂର୍ବରୁ ଏହି ସମସ୍ୟା ନେଇ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ଅତୀତରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ମେଡିକାଲ ପର୍ଯ୍ୟନ୍ତ ନିଆଯାଇଥିବା ନଜିର ରହିଛି ।