ବଲାଙ୍ଗୀର ( ଏଟିଆର ବ୍ୟୁରୋ): ଶେଷରେ ଗିରଫ ହେଲେ ପାଟଣାଗଡ ବିଧାୟକ । ଆଜି ସକାଳୁ ସକାଳୁ ପୋଲିସ ବିଧାୟକଙ୍କୁ ଅଟକ ରଖି ଏକ ଅଜଣା ସ୍ଥାନରେ ପଚରା ଉଚରା କରୁଥିବା ଖବର ପ୍ରଥମେ ସାମ୍ନାକୁ ଆସିଥିଲା । ନିମ୍ନ ମାନର ରାସ୍ଥା କାମ ହେଉଥିବା ଅଭିଯୋଗରେ ପାଟଣାଗଡ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ୧୦୦ ଥର ବସ ଉଠ ହେବା ପାଇଁ ନିର୍ଦେଶ ଦେଇଥିଲେ । ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା ।
ବିଧାୟକଙ୍କ ଆକ୍ସନ ମୁଡକୁ ପ୍ରଥମେ ସମସ୍ତେ ପ୍ରଶଂସା କରିଥିଲେ ମଧ୍ୟ ପରେ ଘଟଣା ନେଇଥିଲା ଅନ୍ୟରୂପ । କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ବିରୋଧୀ ଘେରିଥିଲେ ସରକାରଙ୍କୁ । କନିଷ୍ଠ ଯନ୍ତ୍ରୀ ଜଣଙ୍କ ଆଦିବାସୀ ହୋଇଥିବାରୁ ତାଙ୍କ ସପକ୍ଷରେ ଜିଲ୍ଲା ଆଦିବାସୀ ସଂଗଠନ ରାସ୍ତାକୁ ଓହ୍ଲାଇଥିଲା ।
ଏମିତି କି ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବ ବୋଲି ସଂଘ ଚେତାବନୀ ଦେଇଥିଲା । ଗତ ୨୦ ତାରିଖରେ ବିଧାୟକଙ୍କ ଆଗୁଆ ଜାମିନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । କେଶ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ କୋର୍ଟ । ଏନେଇ ଆଜି ପୋଲିସ ବିଧାୟକଙ୍କୁ ଅଟକ ରଖିଥିଲା । ପଚରା ଉଚରା କରିବା ପରେ ତାଙ୍କୁ ଥାନାକୁ ଆଣିଥିଲା । ସେଠାରୁ ତାଙ୍କୁ କୋର୍ଟକୁ ନେଇଥିବା ସୂଚନା ମିଳିଛି ।