ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କଥାରେ ଅଛି ମଣିଷ ଦେଖିଲେ ଶିଖେ ନ ହେଲେ ଠିକିଲେ ଶିଖେ । ଯାହାର ଏକ ବାସ୍ତବ ପ୍ରମାଣ ଦେଖିବାକୁ ମିଳିଛି ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଜଳିବା ପରେ । ଅଗ୍ନି ନିର୍ବାନକ ବ୍ୟବସ୍ଥାକୁ ନେଇ ଏବେ ନିଦ ଭାଙ୍ଗିଛି ପରିବହନ ବିଭାଗର । ସଜାଗ ହୋଇଛି ବିଭାଗ । ବସ ମାଲିକମାନେ ସାବଧାନ । ଏଣିକି ବସରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲେ ପରମିଟ ବାତିଲ । ଗତକାଲି ପରିବହନ ବିଭାଗ ଓ ବସ ମାଲିକଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ନିଷ୍ପତ୍ତି । ସୂଚନାଯୋଗ୍ୟ ଗତ ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଚକାଡୋଳା ବସରେ ଅଚାନକ ନିଆଁ ଲାଗି ଯାଇଥିଲା । କୌଣସି ଯାତ୍ରୀ କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ନିଆଁର ପ୍ରକୋପ ଏତେ ଅଧିକ ରହିଥିଲା ଯେ ପୁରା ବସ ଜଳି ପୋଡି ଛାରକାର ହୋଇ ଯାଇଥିଲା । ତେବେ ପୂର୍ବରୁ ବସରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ବାଧ୍ୟତା ମୂଳକ ହୋଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ବସ ମାଲିକ ମାନେ ଏହାକୁୂ ଖୁଲମ ଖୁଲା ବେଖାତିର କରି ଆସୁଥିଲେ ।
ଏବେ କିନ୍ତୁ ଆଉ ଚଳିବନି ମନମାନି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ । ତେବେ ଦେଖିବାକୁ ବାକି ରହିଲା ପରିବହନ ବିଭାଗ ନେଇଥିବା ଏହି ନିଷ୍ପତ୍ତି କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହୁଛି । ଆଉ ବସ ମାଲିକ ମାନେ ଏହାକୁ ତେତେ ମାତ୍ରାରେ ଗ୍ରହଣ କରୁଛନ୍ତି ।