ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବ୍ୟାତ୍ୟାର ରୂପ ନେଇଛି । ବାତ୍ୟା “ଫନି’’ ଆସନ୍ତା ୩ ତାରିଖରେ ପୁରୀ ଉପକୂଳ ଛୁଇଁପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି ରାତିରେ ଏହା ଆନ୍ଧ୍ରପ୍ରଦେଶ ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା । ଯାହା ବର୍ତ୍ତମାନ ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି ।
ତେବେ ଏହା ଓଡିଶାର ପୁରୀରେ ଆସନ୍ତା ୩ କିମ୍ବା ୪ ତାରିଖରେ ପହଞ୍ଚି ପାରେ ବୋଲି ପୂର୍ବାନୂମାନ କରାଯାଉଛି । ଏହାର ପ୍ରଭାବ ସମୁଦ୍ର କୂଳବର୍ତ୍ତୀ ଜିଲ୍ଲା ପୁରୀ,ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ସମେତ ଯାଜପୁର, ଭୁବନେଶ୍ୱର, ବାରିପଦାରେ ଏହାର ପ୍ରଭାବ ପଡିପାରେ ବୋଲି ସୂଚନା ମିଳିଛି । ଫନି ପୁରୀରେ ପହଞ୍ଚିବା ବେଳକୁ ଏହାର ଗତି ବଢିଯିବ ବୋଲି ଆଶଙ୍କା କରାଯାଉଛି । ପୁରୀରେ ପହଞ୍ଚିବା ପରେ ଏହାର ପ୍ରଭାବ ବି ପ୍ରକୋପ ରହିବ । ଏହା ପୁରୀ ସାତପଡା ଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ବିଭିନ୍ନ ମଡେଲ ଦେଖାଉଛନ୍ତି ।
ଏହାର ପ୍ରଭାବରେ ୨ ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହା ପ୍ରଥମେ ତାମିଲନାଡୁ ଆଡକୁ ଗତି କରିଥିଲା ପରେ କିନ୍ତୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡହେବା ଜଣା ପଡିଥିଲା । ତେବେ ବର୍ତ୍ତମାନ ଫନି ଓଡିଶା ମୁହାଁ ହୋଇଛି । ବାତ୍ୟାର କେନ୍ଦ୍ରବିନ୍ଦୁ ଠାରୁ ଏହା ୬୫ କିମି ମଧ୍ୟରେ ଏହାର ପ୍ରଭାବ ମଧ୍ୟ ଅଧିକ ରହିବ । ସେହିଭଳି ଏହାର ପ୍ରଭାବ ଉତ୍ତର ପଶ୍ଚିମ ଅପେକ୍ଷା ଦକ୍ଷିଣ ପୂର୍ବରେ ଏହାର ପ୍ରଭାବ ବେଶି ରହିବ । ଏହା ସ୍ଥଳଭାଗ ଛୁଇଁଲା ବେଳେ ଏହାର ପବନର ବେଗ ଘଣ୍ଟାପ୍ରତି ୨୦୦ କି.ମି ରହିବ ବୋଲି ଆଶଙ୍କା ରହିଛି ।