ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏକ ଫଟୋର ମୂଲ୍ୟ ୫ଲକ୍ଷ ଟଙ୍କା । ଅବିଶ୍ୱାସ ଲାଗୁଥିଲେ ବି କଥାଟା ସତ । ଓଡିଆ ଚିତ୍ର ଶିଳ୍ପୀ ବିଜୟ ବିଶ୍ୱାଳ ଏମିତି ଏକ ଫଟୋ ଆଙ୍କିଛନ୍ତି ଯାହା ୫ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଟ୍ରେନ ସହ ପ୍ଲାଟଫର୍ମ ଉପରେ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଥିବା ଏକ ଚିତ୍ରକଳା ପ୍ରସ୍ତୁତ କରିଥିଲେ ବିଜୟ । ନୂଆଦିଲ୍ଲୀରେ ଥିବା ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟଠାରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା ।
ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ମିଳିଥିବା ବହୁ ମୂଲ୍ୟବାନ ଉପହାର ସାମଗ୍ରୀ ରଖାଯାଇଥିଲା । ୨ଦିନିଆ ଏହି ଅକ୍ସନ କାର୍ଯ୍ୟକ୍ରମରେ ବିଜୟଙ୍କ ଏହି ଚିତ୍ରକଳା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । ଚିତ୍ରଟିରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ସାଧାରଣ ଲୋକ ଭାବେ ପ୍ଲାଟଫର୍ମରେ ହାତରେ ଛତା ଓ ବ୍ୟାଗ ଧରି ଚାଲୁଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ଏହି ଚିତ୍ରକଳାର ଦର ୫୦ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା ।
ହେଲେ ଅଚାନକ ଏହାର ଦାମ ୫ଲକ୍ଷ ହୋଇଯିବା ଦେଖି ଖୋଦ ଚିତ୍ର ଆଙ୍କିଥିବା ବିଜୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରତିକ୍ରୀୟାରେ ସେ କହିଛନ୍ତି ଘଟଣା ପରେ ସେ ଅଧିକ ଖୁସି ଅଛନ୍ତି । ତାଙ୍କୁ ଲାଗିଲା ସତେ ଯେମିତି ସେ ବିଶ୍ୱର ସବା ଉପରେ ରହିଛନ୍ତି । ସେପଟେ ଏହି ଚିତ୍ରକଳାଟି ଅନଲାଇନ ମାଧ୍ୟମରେ ବିକ୍ରି ହୋଇଛି । ରିପୋର୍ଟ ଅନୁସାରେ, ୨ଦିନିଆ ଅକ୍ସନ ସମୟରେ ସୋମବାର ୧୯୦୦ ପ୍ରକାର ସାମଗ୍ରୀ ମଧ୍ୟରୁ ୨୭୦ଟି ବିକ୍ରି ହୋଇଥିବା ବେଳେ ମଙ୍ଗଳବାର ମଧ୍ୟ ବହୁ ସାମଗ୍ରୀ ବିକ୍ରି ହୋଇଛି ।
ଏହା ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା । ସେପଟେ ନିଲାମ ପରେ ଆଦାୟ ସମସ୍ତ ଟଙ୍କାକୁ କେନ୍ଦ୍ର ସରକାର ଗଙ୍ଗାନଦୀ କାର୍ଯ୍ୟକ୍ରମରେ ଲଗାଇବେ ବୋଲି ଜଣାପଡିଛି । ଯାହାର ନାମ ରହିଛି ‘ନମାମୀ ଗଙ୍ଗେ’ ।
ସେପଟେ ବିଜୟ ପୂର୍ବରୁ ରେଳ ବିଭାଗରେ ଚାକିରି କରୁଥିଲେ । ୨୦୧୭ରେ ସେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ । ଯେହେତୁ ତାଙ୍କ କଳାପ୍ରତି ଅହେତୁକ ଦୁର୍ବଳତା ରହିଥିଲା ତେଣୁ ସେହି ଦିଗରେ ସେ ଆଗେଇ ଯାଇଥିଲେ । ଭଳିକି ଭଳି ଚିତ୍ର ଆଙ୍କୁ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଫଟୋ ଆଙ୍କି ଆଜି ସେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି । ସେପଟେ ମୋଦି ବି ମନ କି ବାତରେ ବିଜୟଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।