ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ପଲିଥିନକୁ ନା । ଗାନ୍ଧୀ ଜୟନ୍ତି ଅବସରରେ ଏହି ନିୟମକୁ ରାଜ୍ୟର ୬ଟି ସହରରେ ଲାଗୁ କରାଯାଇଛି । ପାଞ୍ଚୋଟି ମହାନଗର ନିଗମ ସମେତ ଏକ ମ୍ୟୁନିସିପାଲିଟି ଏଥିରେ ସାମିଲ ଅଛି । ତାଲିକାରେ ଥିବା ଏହି ୬ଟି ସହର ହେଉଛି- ଭୁବନେଶ୍ୱର, କଟକ, ରାଉଲକେଲା,ସମ୍ବଲପୁର, ବ୍ରହ୍ମପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀ ।
ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବ୍ୟବସାୟୀ ପଲିଥିନ୍ ବ୍ୟବହାର କରି ପାରିବେ ନାହିଁ । ପରିବହନ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ । ଏହାସହିତ ୨୦୦ ମିଲିଲିଟରର ପାଣିବୋତଲ, ଥର୍ମୋକୁଲ ଥାଳି, ଗିନା, ଚାମଚ ଏବଂ ପ୍ଲାଷ୍ଟିକ୍ କଣ୍ଟେନର ଆଦି ବ୍ୟବହାର କରାଯିବ ନାହିଁ । କିନ୍ତୁ ୫୦୦ ମଲିଲିଟରୁ ଅଧିକ ପ୍ଲାଷ୍ଟିକ୍ ବୋତଲ, ରକ୍ତ ଥଳି, ସିରିଞ୍ଜ ପାକେଜିଂ, ମେଡିସିନ, ୫୦ ମାଇକ୍ରେନରୁ ଅଧିକ ମୋଟେଇ ପଲିଥିନ୍, ଉଦ୍ୟାନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପଲିଥିନ୍ ଆଦିରେ କୌଣସି କଟକଣା ରହିବ ନାହିଁ ।
ଯଦି କୌଣସି ବ୍ୟବସାୟୀଙ୍କ ପାଖରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀଠାରୁ ଅଧିକ ମାତ୍ରାରେ ପଲିଥିନ୍ ଅଛି ତେବେ ତାହାକୁ ଅକ୍ଟୋବର ୨୬ ତାରିଖ ପୂର୍ବରୁ ଶେଷ କରି ଦିଅନ୍ତୁ । ନଚେତ୍ ସରକାରଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାସହିତ ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଂଲଘନ କରେ ତେବେ ତାଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମନା ଦେବାକୁ ପଡିବ ।