ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଢ଼େରଦିନ ହେଲା ଚକମା ଦେଇ ଫେରାରଥିଲା । ହଜାର କି ଲକ୍ଷେ ନୁହେଁ କୋଟିଏରୁ ଅଧିକ ଟଙ୍କା ବ୍ୟାଙ୍କରୁ ଚଳୁ କରିଥିଲା । ଏଭଳି ଏକ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜଣକ ହେଉଛି ନାରାୟଣ ସେନାପତି । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ବୁଧବାର ପୋଲିସ ଗିରଫ କରି ତାଙ୍କୁ ଏସଡିଜେଏମ କୋର୍ଟରେ ହାଜର କରିଛି । ନାରାୟଣ ୨୦୧୦ ମସିହାରେ ପଲିଥିନ ବ୍ୟାଗ ବ୍ୟବସାୟ କରିବା ପାଇଁ ସ୍ଥାନୀୟ ପୁରୁଣା ଷ୍ଟେସନ ବଜାର ପାଖରେ ଥିବା ଆହ୍ଲାବାଦ ବ୍ୟାଙ୍କରୁ ୧ କୋଟି ଟଙ୍କା ଋଣ ଆଣିଥିଲେ ।
ଏଥିପାଇଁ ସେ ବାଣପୁରରେ ଥିବା ଏକ ଜମିକୁ ୪୦ ଲକ୍ଷ ଏବଂ ଭୂବନେଶ୍ୱର ରଘୁନାଥପୁରରେ ଥିବା ଅନ୍ୟ ଏକ ଜମିକୁ ୬୦ ଲକ୍ଷ ଟଙ୍କାରେ ବନ୍ଧା ରଖିଥିଲେ । ତେବେ ଏହାପରେ ନା ବ୍ୟାଙ୍କ ଋଣ ସୁଜିଥିଲେ ନା ଧରାଛୁଆଁ ଦେଇଥିଲେ । ଫଳରେ ୨୦୧୪ ମସିହା ବେଳକୁ ସୁଧ ମୂଳ ହୋଇ ୧ କୋଟି ୪୫ଲକ୍ଷ ୭୯ ହଜାର ହୋଇଥିଲା । ଶେଷରେ ବ୍ୟାଙ୍କ ପକ୍ଷରୁ ଜାଗା ଯାଞ୍ଚ କରାଯାଇଥିଲା । କିନ୍ତୁ ୨ଟିଯାକ ଜାଗା ନାରାୟଣଙ୍କ ନାଁରେ ନଥିବା ଜଣାପଡିଛି । ବାଣପୁର ଜମି ପୂର୍ବରୁ ଅନ୍ୟଜଣକୁ ବିକ୍ରି ଦେଇଥିବା ବେଳେ ରଘୁନାଥପୁର ଜାଗାଟି ସରକାରୀ ଜମି ବୋଲି ଜଣାପଡିଛି । ଏହା ଜାଣିବା ପରେ ପୋଲିସରେ ଏତଲା ଦେଇଥିଲେ ଶାଖା ପ୍ରବନ୍ଧକ ବବିତା ସର୍ । ଏହି ଅଭିଯୋଗ ଆଧାରରେ ପୋଲିସ ନାରାୟଣଙ୍କୁ ଗିରଫ କରିଛି ।