ସୁନ୍ଦରଗଡ ( ଏଟିଆର ବ୍ୟୁରୋ): ଜାଲ ସାର୍ଟିଫିକେଟ ଦେଇ ଡାକ୍ତର ହୋଇଥିବା ଡାକ୍ତର ପଦ୍ମନାଭ ମୁଖୀଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସେକ୍ଟର ୧୫ ସ୍ଥିତ ତାଙ୍କ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଗତ ତିନି ଦିନ ତଳେ ସେ ଜଣେ ନକଲି ଡାକ୍ତର ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହା ପରଠାରୁ ଆଉ ଡାକ୍ତରଖାନାକୁ ଆସିନଥିଲେ ଡାକ୍ତର । ହଠାତ କୁଆଡେ ଗାଏବ ହୋଇ ଯାଇଥିଲେ ସେ । ନକଲି ସାର୍ଟିଫିକେଟ ବଳରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୧୬ ମସିହାରେ ନିଯୁକ୍ତି ପାଇଥିଲେ ପଦ୍ମନାଭନ। ସେ ୨୦୦୨ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍ବିବିଏସ୍ ପାସ୍ କରିଥିବାର ସାର୍ଟିଫିକେଟ ଦେଖାଇଥିଲେ ।
ତାଙ୍କ ନାମରେ ଏନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇ ଆସୁଥିଲା । ଏମିତି କି ଫାର୍ମାସିଷ୍ଟ ମଧ୍ୟ ତାଙ୍କର ପ୍ରେସକ୍ୟୁସନକୁ ନେଇ ସନ୍ଦେହ କରୁଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିନା ଛୁଟିରେ ଅନ୍ତର୍ଧାନ ହୋଇ ଯାଇଥିଲେ ପଦ୍ମନାଭନ । ଏହା ପୂର୍ବରୁ ସେ ଏହି ପ୍ରମାଣପତ୍ର ଦେଖାଇ ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରି ସାରିଛନ୍ତି । ନକଲି ଏମବିବିଏସ ସାର୍ଟିଫିକେଟ ଦେଖାଇ ସେ ୪୦ ମାସରେ ୨୦ ଲକ୍ଷ ଟଙ୍କା ଦରମା ନେଇ ଯାଇଛନ୍ତି । ଗିରଫ କରିବା ପରେ ବର୍ତ୍ତମାନ ସୁନ୍ଦରଗଡ଼ ଟାଉନ୍ ଥାନାରେ ଏସ୍ପି ସୌମ୍ୟ ମିଶ୍ର ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ପଚରା ଉଚରା ଆରମ୍ଭ କରିଛନ୍ତି ।