ଭୁବନେଶ୍ୱର,(ଏଟିଆରବ୍ୟୁରୋ): କମିଶନରେଟ ପୁଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କୁ ନେଇ ଏବେ ସବୁଠି ବାହାବାଃ । ତାଙ୍କର ଉପସ୍ଥିତି ବୁଦ୍ଧି ଯୋଗୁ ଆଜି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ରଛାତ୍ରୀ । ଯଦିଓ ଘଟଣା ପରେ କନଷ୍ଟେବଳ ଜଣଙ୍କ ଆହତ ହୋଇଛନ୍ତି କିନ୍ତୁ ସେ ଆଦୌ ଦୁଃଖି ନାହାନ୍ତି । ବରଂ ପିଲାଙ୍କ ଜୀବନ ବଞ୍ଚିଗଲା କହି ବେଶ ଖୁସି ଅନୁଭବ କରୁଛନ୍ତି । ଆମେ କହୁଛୁ କନଷ୍ଟେବଳ ଶରତ କୁମାର ବିଶ୍ୱାଳଙ୍କ କଥା ।
ପୂରା ଘଟଣାଟି ଏହିପରି, କଟକ ଜିଲ୍ଲା ବ୍ରାହ୍ମଣଝରିଲୋ ବିଦ୍ୟାଳୟର ଛାତ୍ରଛାତ୍ର୍ରୀ ରାସ୍ତା ପାର ହେଉଥିଲେ । ଟ୍ରାଫିକ୍ ଦାୟିତ୍ୱରେ ଥିଲେ କନଷ୍ଟେବଳ ଶରତ । ତେବେ ଏହି ସମୟରେ ଟ୍ରାଫିକ ସିଗ୍ନାଲ ନମାନି ଏକ ୪୦୭ଟ୍ରକ ଅଚାନକ ପିଲାଙ୍କ ଆଗକୁ ମାଡି ଯାଇଥିଲା । ଏହା ଦେଖି ପୋଷ୍ଟରେ ଡ୍ୟୁଟି କରୁଥିବା ଶରତ ସଙ୍ଗେସଙ୍ଗେ ଦୌଡି ଆସିଥିଲେ । ପିଲାଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଠେଲି ଦେଇ ନିଜେ ଗଡି ଗଡି ଟ୍ରକ ଚକା ତଳୁ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଏଭଳି ଏକ ଘଟଣାକୁ ଦେଖି ପୂରା ତାଜୁବ ହୋଇଯାଇଥିଲେ ।
କନଷ୍ଟେବଳ ଶ୍ରୀ ବିଶ୍ୱାଳଙ୍କ ଏହି ଦୁଃସାହାସିକ କାର୍ଯ୍ୟଯୋଗୁ ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା ପାଇଗଲା । ଶରତଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଅଭିଭାବକ ଓ ବଜାରରେ ଉପସ୍ଥିତ ଲୋକମାନେ ତାଙ୍କୁ ବେଶ ପ୍ରଂଶସା କରିଛନ୍ତି । ସେପଟେ ଟ୍ରାଫିକ୍ ନୀୟମ ଉଲଙ୍ଘନ କରି ମାଡି ଯାଇଥିବା ଟ୍ରକକୁ ସଦର ଥାନା ପୁଲିସ ଜବତ କରିଛି । ତେବେ ସେ ଯାହାହେଉ ଶରତଙ୍କ ଏଭଳି ମତ କାର୍ଯ୍ୟକୁ ସବୁ ସ୍ତରରୁ ପ୍ରଂଶସା କରାଯାଇଛି ।