ଭୁବନେଶ୍ୱର : ପିପିଲି ପିଡୀତା ମୃତା ବେବିନାର ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଗଠନ ହେଲା ଟିମ । ପିପିଲି ଏସଡିପିଓ ଦିଲ୍ଲୀପ ତ୍ରିପାଠୀ ଓ ଆଇଆଇସି ଶରତ କୁମାର ସାହୁଙ୍କ ନେତୃତ୍ୱରେ ଏହି ଟିମ ଗଠନ କରାଯାଇଛି । ମୃତା ପିଡୀତାଙ୍କ ପରିବାରକୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏସଡିପିଓ । ସେହିଭଳି ପୁଲିସର ଏକ ଟିମ ଗାଁ ଓ ପରିବାରକୁ ଜଗି ରହିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।
ମନ୍ତ୍ରୀପଦରୁ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଇସ୍ତଫା ଦେବା ପରେ ପିଡୀତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଦାବୀ ହେଉଥିଲା । ଏପରିକି ଗତକାଲି ବିଜେପି ଟିମ ଅର୍ଜୁନଗୋଦା ସ୍ଥିତ ଗାଁକୁ ଯାଇଥିବା ବେଳେ ପୋପରଙ୍ଗା ଛକ ନିକଟ ଦୟାନଦୀ ବ୍ରିଜ ପାଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ଟିମକୁ ଗାଳିଗୁଲଜ ଓ ଧମକଚମକ ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଧର୍ମେନ୍ଦ୍ର । ତେଣୁ ଏହାକୁ ନେଇ ତତ୍ପରତା ଦେଖାଇଛି ପୁଲିସ ।
ଏନେଇ ଏଟିଆର ନ୍ୟୁଜ ପକ୍ଷରୁ ପିପିଲି ଥାନାଧିକାରୀ ଶରତ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା । ଗତକାଲିର ଘଟଣା ନେଇ ପିପିଲି ଥାନାରେ ବିଜେପି ତରଫରୁ ଏକ ଏତଲା ଦିଆଯାଇଥିବା ବେଳେ ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଥାନାଧିକାରୀ ଶ୍ରୀ ସାହୁ । ଏହାସହ ମୃତା ପିଡୀତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଟିମ ଗଠନ କରାଯାଇଥିବା ମଧ୍ୟ ଶ୍ରୀ ସାହୁ ଏଟିଆର ନ୍ୟୁଜକୁ ସୂଚନା ଦେଇଛନ୍ତି ।