ଭୁବନେଶ୍ୱର,(ଏଟିଆରବ୍ୟୁରୋ): ସହିଦନଗର ଥାନା ପୁଲିସ ମାଡ଼ ଖାଇବା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣା ଘଟିଛି ନୟାପଲ୍ଲୀ ଥାନା ସାଲିଆସାହି ଅଞ୍ଚଳରେ । ପିସିଆର କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ନିର୍ଘାତ ମାଡ଼ ମାରିଥିବା ସୂଚନା ମିଳିଛି । ଦୁଇଜଣ ନିଶା ବ୍ୟବସାୟୀଙ୍କୁ ପୁଲିସ ସହଯୋଗ କରୁଥିବା ଅଭିଯୋଗ ଆଣି ଏଭଳି କାଣ୍ଡ ଭିଆଇଛନ୍ତି ବସ୍ତିବାସିନ୍ଦା । ମିଳିଥିବା ରିପୋର୍ଟ ଅନୁସାରେ, ସାଲିଆସାହିରେ ଢ଼େରଦିନ ହେବ ନିଶା କାରବାର ହୋଇଆସୁଥିବା ଅଭିଯୋଗ ଆଣୁଥିଲେ ବସ୍ତିର କେତେକ ଲୋକ । ତେବେ ପୁଲିସ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଚମ୍ପଟ ମାରୁଥିଲେ ।
ଆଜି ୨ଜଣଙ୍କୁ ବାନ୍ଧି ପୁଲିସକୁ ଲୋକେ ଖବର ଦେଇଥିଲେ । ହେଲେ ପୁଲିସର କେତେକ କର୍ମଚାରୀ ଅଭିଯୁକ୍ତଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ପୁଲିସ କର୍ମଚାରୀମାନେ ମଧ୍ୟ ଡ୍ରଗ୍ସ କାରବାର କରୁଥିବା ଲୋକେ ଅଭିଯୋଗ ଆଣି ନିସ୍ତୁକ ପିଟିଥିବା ଜଣାପଡିଛି । ମଧ୍ୟାହ୍ଣରେ ନୟାପଲ୍ଲୀ ଥାନା ପିସିଆର ଭ୍ୟାନ୍ ୧୮ ସାଲିଆସାହିକୁ ଯାଇଥିଲା । ଅଭିଯୋଗ ଥିଲା ନିଶା କାରବାରର । ହେଲେ ପିସିଆର ଭ୍ୟାନ୍ କର୍ମଚାରୀ ଓଲଟି ନିଶା କାରବାର କରୁଥିବା ଅଭିଯୋଗ ଆଣି ଘେରି ଯାଇଥିଲେ ବସ୍ତିର ଶତାଧିକ ମହିଳା ଓ ପୁରୁଷ । ବାସ ଏହାପରେ ଆରମ୍ଭ ହୋଇଥିଲା ନିସ୍ତୁକ ମାଡ଼ । ଲୋକଙ୍କ ଆକ୍ରମଣରେ ପୁଲିସର ୩ଜଣ କର୍ମଚାରୀ ଆହତ ହୋଇଥିବା ଖବର ମିଳିଛି । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୁଲିସର ଅନ୍ୟ କର୍ମଚାରୀମାନେ ପହଞ୍ଚିଥିଲେ ମଧ୍ୟ ଲୋକେ ପିସିଆର ଭ୍ୟାନକୁ ଅଟକ ରଖି ହୋହାଲ୍ଲା ଚଳାଇଛନ୍ତି ।