ଦେବଗଡ (ଏଟିଆର ବ୍ୟୁରୋ); ସାବଧାନ ବୁଲୁଛି ମଦୁଆ ଧରା ଗାଡି । ମଦୁଆ ମାନଙ୍କୁ ଧରି ସାବାଡ କରିବା ପାଇଁ ଘୁରୁଛି ଏହି ଗାଡି । ତେବେ ଏହି ଗାଡିକୁ ଦେଖିବା ପରେ ସାଇଜ ହୋଇ ଯାଇଛନ୍ତି ମଦୁଆ । ଦେବଗଡ ପୌରାଞ୍ଚଳରେ ବୁଲୁଛି ଏହି ‘ମଦୁଆ ଧରା ଗାଡି’ । ଘନ ଘନ ହେଉଛି ପେଟ୍ରେଲିଂ । ଯେଉଁ କାରଣରୁ ଲୁଚୁଛନ୍ତି ମଦୁଆ । ସହରରେ ଏବେ ମଦୁଆମାନେ ଏକ ପ୍ରକାର ହିସାବରେ ରହୁଥିବେ ନଜର ଆସିଛି ।
ମଦୁଆଙ୍କୁ ଧରିବା ପାଇଁ ପୌରାଞ୍ଚଳ ଅଞ୍ଚଳରେ ଦୁଇଟି ଗାଡି ବୁଲୁଛି । ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଏଭଳି ଏକ ଅଭିଯାନ ଗୁରୁବାରଠାରୁ ଆରମ୍ଭ କରାଯାଇଛି । ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନ ଆରମ୍ଭ କରାଯାଇଛି । ଗୁରୁବାର ଚାରିଜଣଙ୍କୁ ମଦ ପିଇ ଗାଡ଼ି ଚଳାଉଥିବାବେଳେ ଗିରଫ କରାଯାଇଥିଲା । ତେବେ ଯେଉଁମାନେ ମଦ ପିଇ ବେପରୁଆ ଗାଡି ଚଳାଉଛନ୍ତି ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରାଯାଉଥିବା ମଧ୍ୟ ଦେଖାଯାଉଛି ।
ପର୍ବ ପର୍ବାଣୀ ସମୟରେ ମଦୁଆମାନେ ପ୍ରବଳ ଉତ୍ପାତ କରିଥାଆନ୍ତି। ନିଶାସକ୍ତ ଅବସ୍ଥାରେ ନାନା ବିଭ୍ରାଟ୍ ମଧ୍ୟ ଘଟାଇ ଥାଆନ୍ତି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ। ଯାହାକୁ ନଜରରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ଗୋଟିଏ ବୋଲେରୋ ଓ ଗୋଟିଏ ମିନିଟ୍ରକ୍ରେ ‘ମଦୁଆ ଧରା ଗାଡ଼ି’ ଲେଖା ଥିବା ଷ୍ଟିକର ମରାଯାଇଛି। ତେବେ କେତେକ ମଦୁଆଙ୍କ ବେପରୁଆ ଗାଡି ଚାଳନା ପାଇଁ ଅକାଳରେ ଚାଲି ଯାଉଛି ନିରିହ ଲୋକଙ୍କ ଜୀବନ । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଜନସାଧାରଣ ବେଶ ପ୍ରଂଶସା କରିଛନ୍ତି ।