ବିଜେପୁର ( ଏଟିଆର ବ୍ୟୂରୋ): ବିଜେପୁର ଉପନିର୍ବାଚନରେ ତିନିଦଳ ବିଜେପୁରକୁ ନିଜ ହାତକୁ ନେବା ପାଇଁ ଲୋକ ସମର୍ଥନ ଲଢୁଛନ୍ତି । ବିଜେଡିର ମାଳମାଳ ବିଧାୟକ ଏବେ ବିଜେପୁରରେ ଡେରା ପକାଇଛନ୍ତି । ସେହଭଳି ବିଜେପି ପାଇଁ ବହୁ ହେବିୱେଟ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ବି ତାବଳ ଅନୁସାରେ ପ୍ରଚାର ଚଳାଇଛି । ତେବେ ଏହି ଭିତରେ ଦିନକୁ ଦିନ ବିଜେପି ଗୋଳିଆ ହେବାରେ ଲାଗିଛି । ବିଜେପି ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରଠାରୁ ସବୁକିଛି ଅଳିଆ ହୋଇଯାଉଛି । ଯୁଆଡେ ଦେଖିବ ସିଆଡେ ଅସନ୍ତୋଷ । ଟିକେଟ ନ ମିଳିବାରୁ ଦଳ ଉପରେ ଅସନ୍ତୋଷ ଜାହିର କରି ବିଜେପି ଛାଡିଛନ୍ତି ଅଶୋକ ପାଣିଗ୍ରାହି ।
ବିଜୁ ଜନତା ଦଳର ହାତ ଛାଡ଼ି ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ଏବେ ସେହି ବିଜେଡ଼ିକୁ ସମର୍ଥନ ଦେବାକୁ ଯାଉଛନ୍ତି। ଏକଥା ଆମେ ନୁହେଁ ଖୋଦ ଅଶୋକ ପାଣିଗ୍ରାହି ଘୋଷଣା କରିଛନ୍ତି । ସମର୍ଥକଙ୍କ ସହ ପରାମର୍ଶ ପରେ ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ବିଜେପୁର ନିର୍ବାଚନରେ ବିଜେଡିକୁ ସମର୍ଥନ ଦେଇ ବିଜେପିକୁ ଉଚିତ୍ ଜବାବ ଦେବୁ। ନିଜର ସମର୍ଥକ ସହିତ ବିଜେଡିର ପ୍ରଚାର କରିବୁ ବୋଲି ସେ କହିଛନ୍ତି । ତେବେ ଅଶୋକଙ୍କ ପ୍ରଚାର ଏବେ ବିଜେପୁର ଉପ ନିର୍ବାଚନରେ ବିଜେପିକୁ ଅଡୁଆରେ ପକାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତପା ଦେବା ପରେ ବିଜେପୁର ପାଇଁ ପୁଣି ଥରେ ଉପନିର୍ବାଚନ ଅନୁଷ୍ଠିତ ହେବ ।