କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିଜୟ ରଥରେ ବେକ୍ର ଲଗାଇଛନ୍ତି ବିଜୁବାବୁ ଫ୍ରେମ ଅନୁଭବ ମହାନ୍ତି । ୧,୪୦,୭୬୦ ଟି ଭୋଟରେ ଅନୁଭବ ବୈଜୟନ୍ତଙ୍କୁ ପରାସ୍ତ କରିଛନ୍ତି । ତେବେ ନିର୍ବାଚନ ବେଳେ ଉକ୍ତ ଆସନ ବିଜେଡି ଓ ବିଜେପି ପାଇଁ ସ୍ୱାଭିମାନର ଆସନ ଥିଲା । କାରଣ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।
୨୦୦୯ ମସିହା ଠାରୁ ଉକ୍ତ ଆସନରେ ବୈଜୟନ୍ତ ପଣ୍ଡା ବିଜେଡିରୁ ପ୍ରାର୍ଥୀ ହୋଇ ଦୁଇ ଥର ସଂସଦକୁ ଯାଇଥିବା ବେଳେ ଏଥର ପ୍ରଥମ କରି ସେ ବିଜେପିରୁ ଏଠାରେ ପ୍ରାର୍ଥୀ ହୋଇଥିଲେ । ତେବେ ଏଠାରେ ପଦ୍ମ ଚିହ୍ନ ତାଙ୍କୁ ସାଥ ଦେଲା ନାହିଁ । ସେହିଭଳି ରାଜ୍ୟସଭାରୁ ଆସି ଲୋକସଭାରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତିଙ୍କ ଉପରେ ଏଥର କେନ୍ଦ୍ରାପଡାବାସୀ ଭରଷା କରିଛନ୍ତି ।
ତେବେ ପରାଜୟ ପରେ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ନବୀନ ପଟ୍ଟନାୟକ ଓ ନିଜ ପ୍ରତିଦ୍ୱନ୍ଦୀ ଅନୁଭବ ମହାନ୍ତିଙ୍କୁ ବିଜୟ ସୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରାପଡା ବାସୀଙ୍କୁ ମଧ୍ୟ ବୈଜୟନ୍ତ କୃତଜ୍ଞତା ଜଣାଇଛନ୍ତି । ୯ ବର୍ଷ ଧରି ସଂସଦ ପଠାଇଥିବାରୁ ସେ କେନ୍ଦ୍ରାପଡାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି “ମତେ ସର୍ବଦା ଅପାର ଭଲ ପାଇଥିବାରୁ ଓ ଆଦର କରିଥିବାରୁ ଏବଂ ୯ ବର୍ଷ ପାଇଁ ସଂସଦରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିବାରୁ ମୁଁ କେନ୍ଦ୍ରାପଡ଼ାବାସୀଙ୍କୁ କୃତଜ୍ଞତା ଜଣାଉଛି।”