ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ବି ବିଧାନସଭା ଗୃହ ଆରମ୍ଭରୁ ମୁଲତବୀ ରହିଛି । ବିରୋଧୀଙ୍କ ହଙ୍ଗାମା ପାଇଁ ଦିନ ୧୧.୩୦ ପର୍ଯ୍ୟନ୍ତ ଅଧିବେଶନ ଅଚଳ ରହିଛି । ରାଜ୍ୟରେ ବେକାରୀ ଏବଂ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଜେପି ସଦସ୍ୟ ହଟ୍ଟଗୋଳ କରିବା ପରେ ଅଧିବେଶନକୁ କିଛି ସମୟ ପାଇଁ ମୁଲତବୀ ରଖାଯାଇଛି । ସେପଟେ ଚାଷୀ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଛି କଂଗ୍ରେସ । ଧାନର ଅଭାବୀ ବିକ୍ରି,ଦଲାଲ କମ ପଇସାରେ ଚାଷୀଙ୍କଠାରୁ ଧାନ ନେଇ ଅଧିକ ଟଙ୍କା ବିକ୍ରି କରିବା ଏଭଳି ଅନେକ ପ୍ରସଙ୍ଗକୁ ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି । ଏହା ସରକାରଙ୍କ ଶେଷ ଅଧିବେଶନ ହୋଇଥିବାରୁ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ବାଣ ଫୋପାଡି ଘାଇଲା କରିବା ପାଇଁ ଚେଷ୍ଠା କରୁଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ ।
ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୧୯-୨୦ ପାଇଁ ଶେଷ ବଜେଟ । ଏହି ବଜେଟକୁ ଗୃହରେ ଉପସ୍ଥାପିତ କରିବେ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଏଥର ବଜେଟ୍ର ଆକାର ୧ଲକ୍ଷ ୩୨ ହଜାର କୋଟି ଟଙ୍କାର ହେବ। ପୂର୍ବରୁ ମନ୍ତ୍ରୀ ପରିଷଦ ବଜେଟର ଆକାରକୁ ଅନୁମୋଦନ ଦେଇସାରିଛି। ନିର୍ବାଚନ ବର୍ଷ ହୋଇଥିବାରୁ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିବ। ସାଧାରଣ ନିର୍ବାଚନ ଥିବାରୁ ୪ମାସ ପାଇଁ ବଜେଟ୍ ଉପସ୍ଥାପନ କରାଯାଇ ବିଧାନସଭାର ଅନୁମୋଦନ ନେବେ ସରକାର।
ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାରୁ ଶାସକ ଏବଂ ବିରୋଧୀ ମଧ୍ୟରେ ହଟ୍ଟଗୋଳ ଲାଗି ରହିଛି । ଭୋଟରଙ୍କ ମନ ମୋହିବା ପାଇଁ ଉଭୟ ଆପ୍ରାଣ ପ୍ରୟାସ କରିବେ । ଏଣୁ ସରକାର ଘୋଷଣା କରିଥିବା ବିଭିନ୍ନ ଯୋଜନାକୁ ସମାଲୋଚନା କରିବେ ବିରୋଧୀ । କାଳିଆ ଯୋଜନା ଭଳି ଅନେକ ଯୋଜନା ସରକାର ଘୋଷଣା କରିଥିବା ବେଳେ ଏଥିପାଇଁ ବ୍ୟୟ ବରାଦ ହୋଇନାହିଁ। ତେଣୁ ଏହିସବୁ ଯୋଜନା ପାଇଁ ବ୍ୟୟ ବରାଦ କରିବେ ରାଜ୍ୟ ସରକାର। ସେପଟେ ସରକାର ରାଜ୍ୟବାସୀଙ୍କ ପାଇଁ ଘୋଷଣା କରିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟସବୁ ଉପସ୍ଥାପିତ କରିବେ । ଏଥର ବଜେଟ୍ ମାଧ୍ୟମରେ ରାଜ୍ୟବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିବେ ସରକାର। ଲୋକପ୍ରିୟ ଯୋଜନାଗୁଡ଼ିକ ପାଇଁ ବ୍ୟୟବରାଦ ଫୋକସ୍ରେ ରହିବ । ଚାଷୀ ଓ ମଧ୍ୟବିତ୍ତଙ୍କୁ ଖୁସି କରିବା ଭଳି କାମ କରିପାରନ୍ତି ସରକାର । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଚାଷୀ, ମହିଳା ଓ ଯୁବକ ଏଥର ରାଜ୍ୟ ସରକାରଙ୍କ ବଜେଟ୍ର ଫୋକସ୍ରେ ରହିବେ ।