ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ସେପଟେ ସରକାର ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏଥରକ ମୋଟ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ କରୋନା ପାଇଁ ପ୍ରଶ୍ନକାଳ ରହିବ ନାହିଁ । ସବୁଠାରୁ ବଡ କଥା ହେଲା ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ ଥିବ ସେମାନଙ୍କୁ ହିଁ ଗୃହକୁ ପ୍ରବେଶ ପାଇଁ ଅନୁମତି ରହିଛି ।
କରୋନା ପରୀକ୍ଷଣ ପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ଟେଷ୍ଟ କାଉଣ୍ଟର ଖୋଲାଯାଇ ଟେଷ୍ଟ କରାଯାଉଛି । ଏଥିରେ ଜଣକ ପରେ ଜଣେ ବିଧାୟକ ଓ କର୍ମଚାରୀଙ୍କର ରିପୋର୍ଟ ପଜେଟିଭ ବାହାରୁଥିବାର ଜଣାପଡିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି କରୋନା କାଳ ମଧ୍ୟରେ କିଭଳି ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ଚିନ୍ତା ଘାରିଛି ।
ସେହିପରି କରୋନାକୁ ଦୃଷ୍ଟିରେ ରଖି ବିଧାନସଭା ସାନିଟାଇଜ କରାଯିବା ସହିତ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି । ଏହାସହିତ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି ।