ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ନାମାଙ୍କନ ଦାଖଲ କରିବେ ଓଡିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ବିଜେଡି ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ଜଣଙ୍କ ନାମ ଘୋଷଣା କରିଛି । ତେବେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ଏହି ତିନି ପ୍ରାର୍ଥୀ ହେଲେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର,ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ।
ଆଜି ଅପରାହ୍ନରେ ତିନିଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ନାମାଙ୍କନ ଭରିବାର ଶେଷ ତାରିଖ ଥିଲା ୨୫ । ତେବେ ଗୋଟିଏ ଦିନ ପୂର୍ବରୁ ତିନିଜଣ ଯାକ ନାମଙ୍କନ ଭରିବେ ବୋଲି ସୂଚନା ଦେଇଛନ୍ତି । ମଧ୍ୟାହ୍ନରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ,ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ,ଅଚ୍ୟୁତ ସାମନ୍ତ ଏବଂ ଆଳି ବିଧାୟକ ପ୍ରତାପ ଦେବ ସାଧାରଣ ନିର୍ବାଚନରେ ଜିତିବା ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ଖାଲି ପଡିଥିବା ଏହି ତିନୋଟି ଆସନରେ ଉପ ନିର୍ବାଚନ ପାଇଁ ଘୋଷଣା ହେବା ପରେ ତିନି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ରାଜ୍ୟରେ ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ୩ଟି ଯାକ ଦଳ ପ୍ରାର୍ଥୀ ଦେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମୋଦି ଏବଂ ଶାହାଙ୍କ ନିର୍ଦ୍ଦେଶରେ ଅଶ୍ୱିନୀଙ୍କୁ ସମର୍ଥନ କରିଛି ବିଜେଡି ।