ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେପିକୁ ବାଏ ବାଏ କହି କିଛିଦିନ ଦୂରେଇ ରହିବା ପରେ ପୁଣିଥରେ ହାଏ ହାଏ କହି ଦଳକୁ ଫେରିଛନ୍ତି ବରିଷ୍ଟ ନେତା ବିଜୟ ମହାପାତ୍ର । ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି । ପୁରୁଣା ରାଗ ଅଭିମାନକୁ ଭୁଲି ପୁଣିଥରେ ବିଜେପିକୁ ଫେରିଥିବାୁ ଦଳୀୟ କର୍ମୀମାନେ ବେଶ ଖୁସି ଅଛନ୍ତି । ଆଜି ଦଳକୁ ଫେରିବା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସଭାରେ ଯୋଗଦେବେ ।
୨୦୧୮ ନଭେମ୍ବର ୩୦ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ବିଜୟ । ରାଜ୍ୟ ରାଜନୀତିର ବରିଷ୍ଟ ନେତା ଦିଲୀପ ରାୟଙ୍କ ସହ ଦଳ ଛାଡିଥିଲେ ବିଜୟ । ତେବେ ଉଭୟ ବିଜେଡିରେ ଯୋଗ ଦେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ଦିଲୀପ ରାୟ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ । କିନ୍ତୁ ବିଜୟଙ୍କୁ ବିଜେଡି ପକ୍ଷରୁ କୌଣସି ଗ୍ରୀନ ସିଗନାଲ ମିଳିନଥିଲା । ଫଳରେ ବିଜୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା କରାଯାଉଥିଲା । ପରବର୍ତ୍ତୀ ସମୟରେ ଗୋଲକ ମହାପାତ୍ର କହିଥିଲେ କି ବିଜୟଙ୍କ ଇସ୍ତଫା ଦଳ ଏବେ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ । ଏହାପରଠାରୁ ସ୍ପଷ୍ଟ ହୋଇଥିଲା କି ବିଜୟ ପୁଣିଥରେ ବିଜେପି ଫେରିବା ନିଶ୍ଚିନ୍ତ ।
ତେବେ ଦିଲୀପ ରାୟ ମଧ୍ୟ ବିଜୟଙ୍କ ସହ ବିଜେପି ମୁହାଁ ହେବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଦିଲୀପଙ୍କ ଗତି ବିଧବଧି ଦେଖିବା ପରେ ବିଜୟ ଶେଷରେ ପୁରୁଣା ଦଳ ବିଜେପିକୁ ଫେରିଛନ୍ତି । ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଭାଜପାର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବହୁ ବିଶିଷ୍ଟ ନେତୃବୃନ୍ଦ ଗତ କିଛି ଦିନ ହେବ ତାଙ୍କ ସହ ଯୋଗାଯୋଗ ଚଳାଇଥିଲେ । ବିଜୟଙ୍କୁ ଫେରାଇ ଆଣିବାକୁ ଗତ ରବିବାର ଦିନ ବସିଥିବା ଏକ ବୈଠକରେ ବିଜେପିର ନେତୃବୃନ୍ଦ ପ୍ରାୟ ଚୂଡ଼ାନ୍ତ କରିଥିଲେ ।