ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ସେଠାରେ କିଏ ବିଜେଡିରୁ ପ୍ରାର୍ଥୀ ହେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଜେଡି ପୁଣି ପୂର୍ବତନ ବିଧାୟକ ତଥା ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ଜୋର ଧରିଛି । ବିଜେଡିରୁ ସେଠାରେ ଅଧିକ ଆଶାୟୀ ରହିଥିଲେ ମଧ୍ୟ ରୀତାଙ୍କ ନାମ ସବୁଠାରୁ ଆଗରେ ରହିଛି ।
ଚଳିତ ଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ କରି ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ । ଯାହାକୁ ନେଇ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଅସନ୍ତୁଷ୍ଟ ଥିବା ଖବର ସେତେବେଳ ପଦାକୁ ଆସିଥିଲା । ଏମିତି କି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣରେ ସମାଲୋଚିତ ହେବାକୁ ପଡିଥିଲା । କୁହାଯାଉଥିଲା ଦଳର ସ୍ୱାର୍ଥ ପାଇଁ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରିତା ସାହୁଙ୍କୁ ବିଜେଡି ଉପନିର୍ବାଚନରେ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାତେଇ ଥିଲା । କାମ ସରିବା ପରେ ପୁଣି ବିଜେଡି ରୀତାଙ୍କୁ ଅଲୋଡା କରିଦେଲା ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ।
ତେବେ ବିରୋଧୀଙ୍କୁ ଚୁପ କରିବା ପାଇଁ ଦଳ ଏଠାରେ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖୁଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପୂର୍ବରୁ ବଡ ପ୍ୟାକେଜ ବିଜେପୁର ପାଇଁ ଘୋଷଣା କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେଉଁ ପାଣି କୁଆଡେ ଯାଉଛି । ନବୀନ କାହା ମୁଣ୍ଡରେ ସୁନା କଳସୀ ଢାଳୁଛନ୍ତି ।