ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦୀର୍ଘ ୧୭ ବର୍ଷ ପରେ ନବୀନ ନିବାସରେ ଦିଲୀପ ରାୟ ପାଦ ଦେବା ପରେ ମୁହଁ ଖୋଲିଛନ୍ତି ବିଜୟ ମହାପାତ୍ର । ଦିଲୀପଙ୍କ ସହିତ ବିଜେପିକୁ ବାଏ ବାଏ କହି ଆସିଥିବା ବିଜୟ । ତେବେ ଶନିବାର ମଧ୍ୟ ଦିଲୀପଙ୍କ ନବୀନ ନିବାସକୁ ଯିବ ବିଜେଡି ମିଶିବା ରାସ୍ତା ଖୋଳିଯାଇଥିବା ବେଳେ ବିଜୟ ମହାପାତ୍ରଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଦିଲୀପ ରାୟଙ୍କୁ ବିଜେଡିରେ ମିଶେଇବା ପାଇଁ ସୁପ୍ରିମୋ ଚାହୁଁଥିବା ବେଳେ ବିଜୟଙ୍କ ପାଇଁ ଗ୍ରୀନ ସିଗନାଲ ନଥିବା ଶୁଣିବାକୁ ମିଳଉଛି । ଏଣୁ ବିଜୟଙ୍କ ଗତି କେଉଁଆଡେ ହେବ ତାକୁ ନେଇ ଚାଲିଛି ସବୁଠି ଚର୍ଚ୍ଚା ।
ରବିବାର ଗଣମାଧ୍ୟମର ପ୍ରତିନିଧି ବିଜୟଙ୍କୁ ପ୍ରଶ୍ନ କରିଥିଲେ କି ଦିଳୀପଙ୍କ ଭଳି ଆପଣଙ୍କୁ ବିଜେଡି ପକ୍ଷରୁ ଦଳରେ ସାମିଲ ହେବା ପାଇଁ କିଛି ସୂଚନା ଦିଆଯାଇଛି କି? ତେବେ ବିଜୟ ନିଜ ଉତ୍ଥରରେ ନାଁ କରିଥିବା ଶୁଣିବାକୁ ମିଳିଛି । ବିଜେଡି ତାଙ୍କୁ କୌଣସି ଅଫର ହୋଇନାହିଁ ବୋଲି କହିଥିଲେ । ତେବେ ବିଜେପି ପକ୍ଷରୁ କିଛି ଅଫର ଅଛିକି ପଚାରିବାରୁ ସେ କହିଥିଲେ କି ଯେ, ବିଜେପି ନେତୃବୃନ୍ଦ ବ୍ୟକ୍ତିଗତସ୍ତରରେ କଥାବାର୍ତ୍ତା କରିଛନ୍ତି । ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ତେବେ ଦିଲୀପ ନିଜ ରାସ୍ତା ଦେଖିବା ପରେ ଅନ୍ଧାରରେ ବିଜୟ ମହାପାତ୍ର । ଏଣୁ ସେ ପୁଣିଥରେ ବିଜେପିରେ ଯୋଗ ଦେଇ ପଦ୍ମ ପୋଖରୀରେ ବୁଡ ପକାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଉଛି । ବିଜୁବାବୁଙ୍କ ଅମଳରୁ ବିଜୟ ମହାପାତ୍ର ଜନତା ଦଳରେ ଜଣେ ସକ୍ରିୟ କର୍ମୀ ଭାବରେ କାମ କରିଆସୁଥିଲେ । ବିଜେଡି ଗଠନ ହେବା ସମୟରେ ମଧ୍ୟ ସେ ମୁଖ୍ୟ ଭାବରେ ରହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡିରୁ ତଡା ଖାଇବାକୁ ପଡିଥିଲା । ପରେ ସେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ଦିଲୀପ ରାୟଙ୍କ ସହିତ ବିଜେପିରୁ ଇସ୍ତଫା ଦେଇଥିଲେ ବିଜୟ । ଏବେ ତାଙ୍କର ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।