ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର ସବୁଠାରୁ କନିଷ୍ଠ ଲୋକସଭା ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ ହୋଇଛନ୍ତି । କେନ୍ଦୁଝର ଲୋକସଭା ଆସନରେ ବିଜୟ ହୋଇଛନ୍ତି । ଚନ୍ଦ୍ରାଣୀ ୬୫ ହଜାର ୪୨୯ଟି ଭୋଟରେ ବିଜୟ ହୋଇଛନ୍ତି । ଏହି ବଡ ବିଜୟକୁ ନେଇ ବେଶ ଖୁସି ଅଛନ୍ତି ଜିଲ୍ଲାର ବିଜେଡି କର୍ମୀ । ଟିକେଟ ମିଳିବା ପରେ ବାଦ ବିଦାଦରେ ରହିଥିଲେ ସୁଦ୍ଧା ଚନ୍ଦ୍ରାଣୀ ଶେଷରେ କନ୍ଦେୁଝରବାସୀଙ୍କ ମନ ଜିଣିବା ସହିତ ବିଜୟ ହୋଇଛନ୍ତି ।
ସବୁଠାରୁ କନିଷ୍ଠ ଏବଂ ରାଜନୀତିରେ ଅଭିଜ୍ଞତା ନଥିବା ଚନ୍ଦ୍ରାଣୀ ମୁର୍ମୁ ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ତାଙ୍କ ଆଗରେ ଫିକା ପଡିଛନ୍ତି ଦୁଇ ବରିଷ୍ଠ ବିରୋଧୀ ପ୍ରାର୍ଥୀ । ବିଜେପି ପକ୍ଷରୁ ଏଠାରେ ଅନନ୍ତ ନାୟକ ପ୍ରତିଦ୍ୱନ୍ଦିତା କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମୋହନ କୁମାର ହେମ୍ବ୍ରମ ପ୍ରାର୍ଥୀ ହୋଇଥିଲେ । ଦୁଇ ବରିଷ୍ଠ ନେତାଙ୍କୁ ପରାସ୍ତ କରିଛନ୍ତି ଏହି କନିଷ୍ଠ ନେତ୍ରୀ ।
ଗତକାଲି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରେ ଚନ୍ଦ୍ରାଣୀ ୫ଲକ୍ଷ ୧୮ ହଜାର ୪୧୩ ଖଣ୍ଡ ଭୋଟ ପାଇଥିଲେ । ତାଙ୍କ ପଛକୁ ରହିଥିଲେ ବିଜେପିର ଅନନ୍ତ ନାୟକ । ସେ ୪ଲକ୍ଷ ୫୨ ହଜାର ୯୮୪ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ଏମାନଙ୍କଠାରୁ ବହୁତ ପଛରେ ପଡିଯାଇଛି । ଶେଷରେ ଚନ୍ଦ୍ରାଣୀ ବିପୁଳ ଭୋଟରେ ବିଜୟ ହୋଇଥିଲେ । ସୂଚନାଯୋଗ୍ୟ, କେନ୍ଦୁଝରର ପ୍ରଭାବଶାଳୀ ନେତା ସନା ମହାକୁଡଙ୍କ ସୁପାରିଶ କ୍ରମେ ବିଜେଡି ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।