ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନରେ ବଜେଡି ମହିଳା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଥିଲା । ବରୋଧୀଙ୍କ ତୁଳନାରେ ଦଳ ପକ୍ଷରୁ ଅଧିକ ମହିଳାଙ୍କୁ ନିର୍ବାଚନ ଲଢିବା ପାଇଁ ନବୀନ ସୁଯୋଗ ଦେଇଥିଲେ । ଲୋକସଭା ଆସନରେ ୩୩ ପ୍ରତିଶତ ମହିଳାଙ୍କୁ ସଂସଦ ପଠାଇବା ପାଇଁ ନବୀନ କେନ୍ଦ୍ରପଡାରେ ଘୋଷଣା କରିଥିଲେ । ଏହି ଅବସରରେ ନିଜ କଥା ରଖିବା ପାଇଁ ନବୀନ ଲୋକସଭାରେ ୭ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲେ । ସେଥିମଧ୍ୟରୁ ୨ ଜଣ ହାର ମାନିଥିବା ବେଳେ ପାଞ୍ଚଜଣ ବିଜୟ ହୋଇଛନ୍ତି ।
ତର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ଦଳ ଏଥର ଜଗତସିଂହପୁର ଲୋକସଭା ଆସନରେ ପ୍ରାର୍ଥୀ କରିଥିଲା । ତେବେ ରାଜଶ୍ରୀ ନିକଟ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବିଭୂପ୍ରସାଦ ତରାଇଙ୍କୁ ୨୭୧୬୫୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସେହିଭଳି ଆସ୍କାରୁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରମିଳା ବିଷୋଇଙ୍କୁ ପ୍ରାର୍ଥୀ କରିଥିଲେ । ଯାହାଙ୍କୁ ନେଇ ସାରା ରାଜ୍ୟରେ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା । ସାଧାରଣ ଜଣେ ଏସଏଚଜି ସଂଯୋଜକ କିଭଳି କଂଗ୍ରେସ ଓ ସିପିଆଇ ମେଣ୍ଟ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ଟକ୍କର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ପ୍ରମିଳା ରାମକୃଷ୍ଣଙ୍କୁ ପଛରେ ପକାଇ ବିପୁଳ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି ।
ଅନ୍ୟପଟେ ଯାଜପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜେପି ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକଙ୍କୁ ୧୦୧୬୯୩ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି । ପ୍ରଥମ କରି ରାଜନୀତିରେ ପାଦ ଦେଇଥିବା ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ କେନ୍ଦୁଝର ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତା ମଣ୍ଡଳ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଠାରୁ ୨୮୮୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପର୍ବ ଭିତରେ ବିଜେଡିର ଦୁଇଜଣ ମହିଳା ଲୋକସଭା ପ୍ରାର୍ଥୀ ପରାଜିତ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଜୁଏଲ ଓରାମଙ୍କ ଠାରୁ ପରାଜିତ ହୋଇଥିବା ବେଳେ କୋରାଫୁଟ ଲୋକସଭା ଆସନରୁ ଝିନ୍ନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ହିକ୍କା ପରାଜିତ ହୋଇଛନ୍ତି ।