ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ତାରିଖ ଘୋଷଣା ହେବା ପରେ ଟିକେଟ ଆଶାରେ ନବୀନ ନିବାସ ଆଗରେ ମାଳ ମାଳ ଆଶାୟୀ ପ୍ରାର୍ଥୀ । ଅପରପକ୍ଷରେ ନବୀନ ଘୋଷଣା କରିଛନ୍ତି କି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ । ତେବେ ସବୁ ନିର୍ବାଚନ ମଣ୍ଡଳୀରେ ଗଣ୍ଡା ଗଣ୍ଡା ପ୍ରାର୍ଥୀ ଥିବାରୁ କାହାକୁ ଟିକେଟ ମିଳିବ ତାକୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ । ସେପଟେ ଲୋକସଭାକୁ ୭ଜଣ ସାଂସଦ ପ୍ରାର୍ଥୀ ଦେବା ପାଇଁ ବିଜେଡି ଆଗୁଆ ଘୋଷଣା କରିଛି । ଏଣୁ ବିଜେଡିର କିଛି ତୁଙ୍ଗ ନେତାଙ୍କ ଟିକେଟ କଟିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ୪ ଲୋକସଭା ଏବଂ ୨୮ ବିଧାନସଭା ଆସନରେ ପୂର୍ବ ବିଧାୟକ ଏବଂ ସାଂସଦ ବଳି ପାରନ୍ତି । କାରଣ ପୂର୍ବାପେକ୍ଷା ଚଳିତ ନିର୍ବାଚନରେ ବିରୋଧୀମାନେ ଶକ୍ତି ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି । ବିଜେଡି ସରକାର ବାରମ୍ବାର ଆସିବା ଫଳରେ କେତେକ ନେତା ମନମୁଖୀ ଶାସନ ଚଳାଇ ଆସୁଛନ୍ତି । ଲୋକ ସମ୍ପର୍କ ଭଲ ନାହିଁ । ଏଣୁ ଜନ ସାଧାରଣ ଚଳିତ ବର୍ଷ ପରିବର୍ତ୍ତନ କରି ପାରନ୍ତି ବୋଲି ଆଗୁଆ ଚର୍ଚ୍ଚା ହେବାରୁ ମୁଖ୍ୟମନ୍ତ୍ରୀ ନୂଆ ମୁହଁ ଦେବା ପାଇଁ ଚିନ୍ତା କରିଛନ୍ତି ।
ତେବେ ସେ ଯାହାବି ହେଉ ଆସନ୍ତା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନ ପାଇଁ ବର୍ତ୍ତମାନର ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ସାଂସଦ ଝିନ ହିକ୍କା ଓ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓଙ୍କୁ ଏଥର ଆଉ ଟିକେଟ୍ ମିଳିନପାରେ।ଅପରପକ୍ଷରେ ୨୮ ବିଧାୟକଙ୍କ ମଧ୍ୟରୁ ଅନେକଙ୍କ ଟିକେଟ ମଧ୍ୟ କଟିପାରେ । କାରଣ କଂଗ୍ରେସ,ବିଜେପି ଏବଂ ବହୁ ବରିଷ୍ଟ ଅଧିକାରୀ ଆସି ଦଳରେ ଯୋଗ ଦେଇଛନ୍ତି । ଏଣୁ ସେମାନଙ୍କ ଉପରେ ଦଳ ଭରଷା କରି ଟିକେଟ ଦେବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।