ନୟାଗଡ (ଏଟିଆର ବ୍ୟୁରୋ); ନୟାଗଡ ଜିଲ୍ଲାରେ ଶକ୍ତି ପ୍ରଦର୍ଶନ କରିଲା ରାଜ୍ୟ ବିଜେପି । ଓଡଗାଁ ମହୋତ୍ସବ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ତେବେ କଂଗ୍ରେସ ଏବଂ ଶାସକ ବିଜେଡିର ବହୁ କର୍ମୀ ବିଜେପିରେ ମଧ୍ୟ ଯୋଗ ଦେଇଛନ୍ତି । ଯାହାକି ଦଳର ଶକ୍ତିକୁ ବଢ଼ାଇଛି । ନୟାଗଡ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ଇରାନୀ ରାୟଙ୍କ ପାଇଁ ପଚାର କରିଛନ୍ତି ବିଜେପିର ବହୁ ଷ୍ଟାର ପ୍ରଚାରକ । ସୋମବାର ଓଡଗାଁରେ ମହୋତ୍ସବ ପଡିଆରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ବିଜେପି କର୍ମୀଙ୍କ ଉତ୍ସାହ ଦେଖି ଏମିତି ଲାଗୁଥିଲା କି ଏଥରକ ନୟାଗଡରେ ପରିବର୍ତ୍ତନ ହୋଇପାରେ ।
ଦିନ ୧୦ରେ ବିଜେପି କର୍ମୀମାନେ ନୟାଗଡରୁ ଏକ ବିଶାଳ ରାଲିରେ ଓଡଗାଁ ଅଭିମୁଖେ ବାଇକ ରାଲିରେ ବାହାରିଥିଲା । ଓଡଗାଁରେ ଆୟୋଜିତ ହୋଇଥିବା ସମାବେଶରେ ବିଜେପିର ଷ୍ଟାର ପ୍ରଚାରକମାନେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ବଲିଉଡ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ,ଓଡିଆ ଅଭିନେତାରୁ ରାଜନେତା ହୋଇଥିବା ଶ୍ରୀତମ ଦାସ ଏବଂ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର । ତେବେ ସବୁଠାରୁ ବଡ କଥା ହେଉଛି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ।
ନୟାଗଡରେ ଲଗାତାର ବିଜୟ ହୋଇ ଆସୁଥିବା ଅରୁଣ ସାହୁଙ୍କୁ କଡା ଟକ୍କର ଦେବା ପାଇଁ ବିଜେପି ଲାଲା ମନୋଜ ରାୟଙ୍କ ପତ୍ନୀ ଇରାନୀ ରାୟଙ୍କୁ ଟିକେଟ ଦେଇଛି । ନୟାଗଡ ରାଜନୀତିର ଚର୍ଚ୍ଚିତ ଚେହେରା ଅରୁଣ ସାହୁଙ୍କ ପାଇଁ କନ୍ଧମାଳ ସାଂସଦଙ୍କ ଟିକେଟ କଟିବା ପରେ ସେ ଚଳିତ ନିର୍ବାଚନରେ ବିଜେପିରେ ଯୋଗ ଦେବା ସହିତ ଅରୁଣଙ୍କ ହରାଇବା ପାଇଁ ଇରାନୀଙ୍କ ସହଯୋଗ କରୁଛନ୍ତି । ଆଜିର ସଭାରେ ଇରାନୀ ଏବଂ ପ୍ରତ୍ୟୁଷା ଉଭୟ ଅରୁଣଙ୍କ କଡା ଭାଷାରେ ସମାଲୋଚନା କରିଥିଲେ ।
ଚିଟଫଣ୍ଡଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ ସବୁ ଘଟଣାରେ ଅରୁଣଙ୍କ ନାମ ଆଗରେ ରହିଛି । ଯେଉଁ କାରଣରୁ ଅତୀତରେ ତାଙ୍କୁ ମନ୍ତ୍ରୀ ପଦ ମଧ୍ୟ ହରାଇବା ପାଇଁ ପଡିଛି । ତେବେ ନିଆଁ ନଥିଲେ ଯେଭଳି ଧୂଆଁ ଉଠେନାହିଁ । ଏଣୁ ଅରୁଣଙ୍କ ଏହି ସବୁ ଭୁଲକୁ ଅସ୍ତ୍ର କରି ଲୋକଙ୍କ ମନ ଜିଣିବା ପାଇଁ ଚେଷ୍ଟା କରିଛନ୍ତି ବିଜେପି କର୍ମୀ । ଅରୁଣଙ୍କ ବିରୋଧରେ ବିଜେପି କର୍ମୀମାନେ ବିଷ ଓଗାଳିବା ପରେ ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ହେଲେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିବାର ପ୍ରତିଶୃତି ମଧ୍ୟ ଦେଇଛି । ତେବେ ଆଗାମି ଦିନରେ ନୟାଗଡବାସୀ କାହାକୁ ବାଛିବେ ତାଉପରେ ରହିଛି ସମସ୍ତଙ୍କ ନଜର ।