ଭୁବନେଶ୍ୱର,(ବ୍ୟୁରୋ): ୨୦୧୮ ମସିହା ଫେବୃଆରୀ ୨୮ ତାରିଖ ବିଜେପି ପାଇଁ ଏକ ଅଭୁଲା ଦିନ ହୋଇ ରହିବ । କାରଣ ଦୁଇଟି ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପିକୁ ଦୋହରା ଝଟ୍କା ଲାଗିଛି । ଓଡ଼ିଶାର ବିଜେପୁର ଉପ ନିର୍ବାଚନରେ ଦଳ ଶାସକ ବିଜେଡିକୁ ବାଜିମାତ୍ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲା ସେଥିରେ ସଂପୂର୍ଣ୍ଣ ଫେଲ୍ ମାରିଛି ।
ସେହିପରି ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ଥିଲେ ହେଁ ମୁନ୍ଗାଓଲି ଓ କୋଲାରସ ଉପ ନିର୍ବାଚନରେ ପରାସ୍ତ ହୋଇଛି । ଏହି ଦୁଇଟି ଯାକ ଆସନରେ କଂଗ୍ରେସ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି । ଅର୍ଥାତ ବିଜେପି ହାୱା ଦେଶରେ ବୋହିବା ଏକ ପ୍ରକାରର ବନ୍ଦ ହୋଇଯିବାକୁ ବସିଲାଣି । ଏହା ପୂର୍ବରୁ ରାଜସ୍ଥାନ ଓ ପଞ୍ଜାବ ଉପନିର୍ବାଚନରେ ମଧ୍ୟ ବିଜେପିକୁ ପରାଜୟର ରାସ୍ତା ଦେଖିବାକୁ ପଡ଼ିଥିଲା । ତେଣୁ ଦଳ ଏବେ ଆତ୍ମସମୀକ୍ଷା କରିବାର ସମୟ ଆସିଛି ବୋଲି ରାଜନୀତିକ ବିଶ୍ଲେଷକ ମାନେ ମତ ଦେଇଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଓଡ଼ିଶାର ବରଗଡ଼ ଜିଲ୍ଲା ବିଜେପୁରରେ ଅନୁଷ୍ଠିତ ସିମେଫାଇନାଲ୍ ଲଢ଼େଇ ଗତକାଲି ଶେଷ ହୋଇଛି । ଏଥିରେ ବିଜେପିର ପରାଜୟ ହୋଇଥିବା ବେଳେ ବିଜେଡି ବାଜିମାତ୍ କରିଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ୧୦୨୮୭୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ମାତ୍ର ୬୦,୯୩୮ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦,୨୪୭ ଖଣ୍ଡ ଭୋଟ୍ ପାଇଛନ୍ତି । କହିବାକୁ ଗଲେ ଏଠାରେ କଂଗ୍ରେସ ମାତ୍ର ୫% ଭୋଟ୍ ପାଇଛି । ଏହି ଆସନକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ, କିନ୍ତୁ କଂଗ୍ରେସ ନିଜ ଗଡ଼ରେ ମାଟିକାମୁଡ଼ି ପଡ଼ିଛି । ବିଜେଡିଠାରୁ ବିଜେପି ପ୍ରାୟ ୪୨ ହଜାର ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଛି । ସେହିପରି ପରାଜୟ ପରେ ବିଜେପି କହିଛି ଯେ ଆମେ ଏକ ଶକ୍ତି ଭାବେ ଉଭା ହୋଇଛୁ । ସରକାରୀ ଦଳ କଳାଟଙ୍କା ଜରିଆରେ ବିଜୟଲାଭ କରିଛି । ହେଲେ ରାଜନୀତିକ ବିଶ୍ଲେଷକଙ୍କ ମତରେ ବିଜେପି ପୁଣିଥରେ ଶାସକ ବିଜେଡିକୁ ଦୋଷ ଦେବା ବଦଳରେ ନିଜର ଆତ୍ମ ସମୀକ୍ଷା କରିବା ଦରକାର ।
ସେମାନଙ୍କ ମତରେ ବିଜେପି ଏବେ ବିଜେଡିକୁ ସମାଲୋଚନା କରିବା ପରିବର୍ତ୍ତେ ୨୦୧୯ରେ ଦଳର ରଣନୀତି କ’ଣ ହେବ, ସେକଥା ଚିନ୍ତା କରିବା କରିବା ଦରକାର । ନହେଲେ ୨୦୧୯ରେ ବି ବିଜେପି ରାଜ୍ୟରେ କ୍ଷମତା ଦଖଲ ପାଇଁ ଯେଉଁ ସ୍ୱପ୍ନ ଦେଖିଛି, ତାହା ସ୍ୱପ୍ନରେ ହିଁ ରହିଯିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରେ ୧୨୦+ ମିଶିନ୍ ଟାର୍ଗେଟ ପୂରଣ କରିବାକୁ ଆହ୍ୱାନ ଦେଇଥିଲେ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ତଥା ବିହାରରରୁ ରାଜ୍ୟସଭାକୁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନକୁ ସମସ୍ତ ଦାୟିତ୍ୱ ଦିଆଯାଇଥିଲା । ପୁନଶ୍ଚ ବିଜେପୁର ଉପ ନିର୍ବାଚନ ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଥମ ଅଗ୍ନି ପରୀକ୍ଷା ହୋଇଥିଲା । କିନ୍ତୁ ଏହି ଅଗ୍ନି ପରୀକ୍ଷା ପରେ ଧର୍ମେନ୍ଦ୍ର ଫେଲ୍ ମାରିଛନ୍ତି ।
କହିବାକୁ ଗଲେ କେନ୍ଦ୍ରୀୟ ଟିମ୍ ଧର୍ମେନ୍ଦ୍ରଙ୍କ ଉପରେ ଯେଉଁ ଭରସା ରଖିଥିଲା, ସେ ସେଭଳି କୌଣସି କାମ କରିପାରି ନାହାନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେପି ଖୁବ୍ ଭଲ ପ୍ରଦର୍ଶନ କରିଥିଲା । ଲୋକେ ଭାବିଥିଲେ ବିଜେପି ଏଥର ବିଜେଡିର ବିକଳ୍ପ ଭାବେ ଉଭା ହେବ । କିନ୍ତୁ ବିଜେପୁର ଉପ ନିର୍ବାଚନ ପୁଣିଥରେ ବିଜେପିର ମନୋବଳକୁ ଭାଙ୍ଗି ଦେଇଛି ବୋଲି ରାଜନୀତିକ ବିଶ୍ଲେଷକ ମାନେ ମତ ଦେଇଛନ୍ତି । ବୋଧେ ପଞ୍ଚାୟତ ନିର୍ବାଚନ ପରେ ଆତ୍ମଗର୍ବୀ ହୋଇଯାଇଥିବା ବିଜେପି ଏବେ ପରାଜୟବରଣ କରିବା ପରେ ନିଶ୍ଚିତ କିଛି ଶିକ୍ଷା ଲାଭ କରିଥିବ । ଯଦି ଆଗାମୀ ଦିନରେ ନିଜର ତ୍ରୁଟିକୁ ନ ସୁଧାରେ ତା’ହେଲେ ଏହା ଦଳ ପାଇଁ ତଥା ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ରାଜନୀତିକ କ୍ୟାରିୟର ଉପରେ ପ୍ରଭାବ ପକାଇବ ।
ଅନ୍ୟପକ୍ଷରେ ବିଜେଡି ମଧ୍ୟ ଏହି ବିଜୟ ଖୁସିରେ ଆତ୍ମ ବିଭୋର ହେବା ଠିକ୍ ନୁହେଁ । କାରଣ ବରଗଡ଼ ହେଉଛି ଓଡ଼ିଶାର ଭାତ ହାଣ୍ଡି । ଏଠାରେ ଚାଷୀ ସମସ୍ୟା ରହିଛି । ବୁଣାକାର ସଂଖ୍ୟା ଏଠାରେ ଅଧିକ । ଯଦି ସେମାନଙ୍କ ସମସ୍ୟା ସମାଧାନ କରିବାରେ ବିଜେଡି ବିଫଳ ହୁଏ, ତା’ହେଲେ ଆଗାମୀ ଦିନରେ ଯେଉଁ ଲୋକମାନେ ବିଜେଡିକୁ ଭୋଟ୍ ଦେଇଥିଲେ, ସେମାନେ ତା’ ବିରୋଧରେ ମଧ୍ୟ ମତାଧିକାର ସାବ୍ୟସ୍ତ କରିପାରନ୍ତି । ବିଜେଡି ସୁପ୍ରିମୋ କହିଥିଲେ ମୁଁ ନିଜେ ଅର୍ଥାତ ବ୍ୟକ୍ତିଗତ ଭାବେ ବିଜେପୁରର ବିକାଶ କରିବି । ଏବେ ନବୀନ ବାବୁ ନିଜ ପ୍ରତିଶ୍ରୁତି ରକ୍ଷା କରିବା ଦରକାର ।
ସେହିପରି ଗଙ୍ଗାଧର ମେହେର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୨୦୦ କୋଟି ଟଙ୍କା ଘୋଷଣା କରିଥିଲେ । ତେଣୁ ଏହି ପ୍ରତିଶ୍ରୁତି ପାଳନ କରିବା ଦରକାର । ବିଜେପୁରରେ ବିଜେଡିର ପ୍ରାର୍ଥୀ ହୋଇଥିବା ରୀତା ସାହୁ ହେଉଛନ୍ତି କଂଗ୍ରେସ ବିଧାୟକ ଦିଂଗତ ସୁବଳ ସାହୁଙ୍କ ପତ୍ନୀ । ତେଣୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିବାରୁ ସୁବଳ ସାହୁଙ୍କୁ ସମ୍ମାନ ଜଣାଇ ଲୋକେ ତାଙ୍କୁ ଭୋଟ୍ ଦେଇଛନ୍ତି । କଂଗ୍ରେସର ଭୋଟ୍ ବିଜେଡି ଆଡ଼କୁ ଆସିଛି । ତେଣୁ ବିଜେଡି ଏକାକୀ ଯେ ଏଠାରେ ଜିତିଛି, ତାହା କହିବା ଭୁଲ୍ ହେବ । ତେଣୁ ବିଜେଡି ମଧ୍ୟ ଥରେ ନିଜ ଦଳର ସାମର୍ଥ୍ୟ କଥା ଚିନ୍ତା କରିବା ଦରକାର ।
ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କଂଗ୍ରେସ ଏବେ ନିଜର ଆଭ୍ୟନ୍ତରୀଣ କଳହ କେମିତି ବନ୍ଦ ହେବ ସେକଥା ଚିନ୍ତା କରିବା ଦରକାର । ଏଥିସହ ପିସିସି ସଭାପତି ପଦକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ମଧ୍ୟ ଦଳ ଖୁବଶୀଘ୍ର ଦୂର କରିବା ଦରକାର । କାରଣ ସମ୍ଭବତଃ ଆଉ ୧୦ରୁ ୧୧ ମାସ ପରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବ । ଏହାପୂର୍ବରୁ କଂଗ୍ରେସ ପ୍ରଥମେ ନିଜ ଘର ସଜାଡ଼ିବା ସହ ନିର୍ବାଚନ ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରିବା ଦରକାର । ନହେଲେ ଦଳର ଭବିଷ୍ୟତ କବେଳ ଅନ୍ଧାର ବୋଲି କୁହାଯାଇପାରେ ।