ଭଦ୍ରକ (ଏଟିଆର ବ୍ୟୁରୋ); ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର କମ୍ପୁଛି ମୈଦାନ । ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ହେବିୱେଟ ନେତା ଓହ୍ଲାଇଛନ୍ତି ପ୍ରଚାର ମୈଦାନକୁ । ଶେଷ ପର୍ଯ୍ୟାୟରେ ଭଦ୍ରକରେ ହେବ ନିର୍ବାଚନ । ଏଣୁ ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନରେ ଯୋଗ ଦେଇଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ରାଜ ବବର । ସେ ଭଦଷ୍ଠଳ ଲୋକସଭା ପ୍ରାର୍ଥୀ ହୋଇଥିବା ମଧୁମିତା ସେଠୀ ଏବଂ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତିଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।
ରାଜ୍ୟରେ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ ପାଇଁ ଜନସାଧାରଣଙ୍କୁ ଆବେଦନ କରିଛନ୍ତି । କଂଗ୍ରେସକୁ ଭୋଟ ଦେବା ସହ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ ବବର । ଅପରପକ୍ଷରେ ବିଜେପି ସରକାରକୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନାହାଁନ୍ତି ରାଜ ବବର । ସେ କହିଛନ୍ତି ମୋଦି ସରକାରକୁ ଉପାଡି ଫୋପାଡି ଦିଅ ଏବଂ ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରନ୍ତୁ ।
କେନ୍ଦ୍ରୀୟ ନେତାଙ୍କ ଫୋକସରେ ପ୍ରଥମରୁ ରହିଛି ଓଡିଶା । ଏଣୁ ଜଣକ ପରେ ଜଣେ କେନ୍ଦ୍ରୀୟ ନେତା ନିୟମିତ ଭାବରେ ଓଡିଶା ଗସ୍ତରେ ଆସୁଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବହୁବାର ଓଡିଶା ଆସି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆସନ୍ତାକାଲି ପୁଣିଥରେ ଓଡିଶା ଆସୁଛନ୍ତି ରାହୁଲ । ଏଣୁ ସେ ନିଜର ଅଭିଭାଷଣରେ କଣ କହିବେ ତା ଉପରେ ସମସ୍ତଙ୍କ ନଜର । କଂଗ୍ରେସ ଗ୍ୟାରେଣ୍ଟି କାର୍ଡ କରି ଭୋଟରଭ୍କ ମନମୋହିବା ପାଇଁ ଚେଷ୍ଟା କରିଥିଲା । ତେବେ ଆସନ୍ତା ମେ’୨୩ରେ କାହାର କେତେ ଦମ ଜଣାପଡିଯିବ ।