କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର ଦୁଇଦିନ ରହିଥିବା ବେଳେ କମ୍ପୁଛି ନିବାଚନ ମୈଦାନ । କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ଏଠାରେ ଏବେ ଷ୍ଟାର ପ୍ରଚାରକୁ ଭିଡ ଜମୁଛି । ତିନି ପ୍ରମୁଖ ରାଜନୈତିକ ଦଳ ନିଜର ଦବଦବା ଦେଖାଇବାରେ ଲାଗିଛନ୍ତି । ତେବେ ଗତକାଲି ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟମିଶ୍ର ଏବଂ ଅଭିନେତ୍ରୀ ରାଜନେତ୍ରୀ ହୋଇଥିବା ବିଦୁସ୍ମିତା । ଉଭୟ ଜନତାଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ମାଗୁଣି କରିଥିଲେ ।
କେନ୍ଦ୍ରାପଡାରେ ଡବଲ ବି ହେଲା ପରେ ଚହଲି ଯାଇଛି ଜିଲ୍ଲାର ରାଜନୈତିକ ସମୀକରଣ । ବୈଜୟନ୍ତ ଏବଂ ବିଜେପି ଏକାଠି ହେବାପରେ କେନ୍ଦ୍ରାପଡାରେ କମ୍ପୁଛି ନିର୍ବାଚନ । ବିଜେଡି ପକ୍ଷରୁ ବୈଜୟନ୍ତ ସାଂସଦ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ସେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ତାଙ୍କ ବିପକ୍ଷରେ ବିଜେଡି ଅଭିନେତାରୁ ରାଜ୍ୟସଭା ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପକ୍ଷରୁ ଏଠାରେ ଧରଣୀଧର ନାୟକ ପ୍ରାର୍ଥୀ ହୋଇଛନ୍ତି । ତିନି ଜଣ ହେବିୱେଟ ନେତା ଏଠାରେ ଲଢ଼ୁଥିବାରୁ ନିର୍ବାଚନ ଜୋରଦାର ହେଉଛି ।
ସବୁ ରାଜନୈତିକ ଦଳ କେନ୍ଦ୍ରାପଡାରେ ନିଜର ଷ୍ଟାର ପ୍ରଚାରକ ମାନଙ୍କୁ ନେଇ ଭୋଟ ଭିକ୍ଷା କରୁଛନ୍ତି । ଆଜି ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଶେଷ ହେବାକୁ ଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରପଡା ସଂସଦୀୟ କ୍ଷେତ୍ର ଅଧିନରେ ଥିବା ତିନିମୁହାଣଠାରେ ରୋଡ ସୋ କରିବେ । ଅପରପକ୍ଷରେ ବିଜେପି ପ୍ରାର୍ଥୀଙ୍କ ପାଇଁ ବିଜୟ ସକଂଳ୍ପ ଅଭିଯାନରେ ସାମିଲ ହେବା ପାଇଁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।