ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ଆଜି ପବିତ୍ର ଭାଦ୍ରବ କଷ୍ଣ ପକ୍ଷ ପଞ୍ଚମୀ ତିଥି । ଏହି ଅବସରରେ ଆଜି ମହାପ୍ରଭୁଙ୍କ ଶ୍ରୀମୁଖରେ ରାହୁରେଖା ଲାଗି ହେବ । ବିଗ୍ରହଙ୍କ ଶ୍ରୀମୁଖର ଚତୁଃପାଶ୍ୱର୍ରେ ସ୍ପର୍ଶ ନିର୍ମିତ ଏକ ବଳୟ ପଟିକୁ ରାହୁ ରେଖା ବୋଲି କୁହାଯାଇଥାଏ । ରାହୁରେଖା ଏକ ସ୍ୱତନ୍ତ୍ର ଔଷଧ । ଯାହାକୁ ଓଷ ବୋଲି ମଧ୍ୟ କୁହାଯାଏ ।
ଭୋଗ ମଣ୍ଡପ ନୀତି ସରିବା ପରେ ଜୟବିଜୟ ଦ୍ୱାରା ବନ୍ଦ ହୋଇଥାଏ । ଏହାପରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥାଏ । ପ୍ରଥମେ ସିଂହାସନ ଉପରକୁ ପାଳିଆ ପୁଷ୍ପାଳକ ମାନେ ଉଠି ଶ୍ରୀଜିଉଙ୍କ ର ଝୋବାକଣ୍ଠି ଓଲାଗି କରାଇବେ । ଏହାପରେ ଗୋଟେ ପରେ ଗୋଟେ ନୀତି ବଢିବ ।
ପ୍ରଥମେ ପାଳିଆ ମେକାପ ବଡଠାକୁରଙ୍କ ରାହୁରେଖା ପତି ମହାପାତ୍ରଙ୍କ ହାତକୁ ବଢାଇବେ । ସେହି ରାହୁ ରେଖାକୁ ପତି ମହାପାତ୍ର ସଂସ୍କାର କରି ତିନି ବାଡର ବାଡଗ୍ରାହୀ ଦଇତାମାନଙ୍କୁ ବଢାଇବେ । ଏହାପରେ ଦଇତାପତି ମାନେ ଓଷୁଅ ସାହାଯ୍ୟରେ ରାହୁରେଖାକୁ ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ଲଗାଇଥାନ୍ତି ।