ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ସରିଯାଇଛି । ତେବେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ବାକି ରହିଛି । ଏଠାରେ ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । କିନ୍ତୁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ତାରିଖକୁ ଘୁଞ୍ଚାଇବା ପାଇଁ ଦିଲ୍ଲୀ ଗସ୍ତରେ ଯାଇଥିବା ଶୁଣିବାକୁ ମିଳିଛି । ନିର୍ବାଚନ କମିସନଙ୍କୁ ଆଜି ଅପରାହ୍ନରେ ଭେଟି ପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ସେ ନିର୍ବାଚନ କମିସନଙ୍କୁ ଭେଟି ପାଟକୁରା ବିଧାନସଭା ନିର୍ବାଚନ ଘୁଞ୍ଚାଇବାଲାଗି ଅନୁରୋଧ କରିପାରନ୍ତି ବୋଲି କୁହାଯାଉଛି। ଫୋନିର କୁପ୍ରଭାବର ଆଶଙ୍କା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିସନଙ୍କୁ ଭେଟିବେ ବୋଲି ଜଣାଯାଇଛି।
ଆସନ୍ତା ୧ ତାରିଖରୁ ଓଡିଶାରେ ସାମୁଦ୍ରକି ବାତ୍ୟା ଫୋନିର ପ୍ରଭାବ ପଡିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟାରେ ଏହାର ପ୍ରଭାବ କିଭଳି ରହିବ ତାହାସ୍ପଷ୍ଠ ହେବ । ତେବେ ଫୋନିକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନିର୍ବାଚନ ଘୁଞ୍ଚାଇବା ପାଇଁ ଦିଲ୍ଲୀରେ ପହଁଞ୍ଚିବା ପରେ ବିରୋଧୀମାନେ ଏହାକୁ ନିନ୍ଦା କରିଛନ୍ତି । ପାଟକୁରାରେ ବିଜେପି ପ୍ରାର୍ଥୀ ହୋଇଥିବା ବିଜୟ ମହାପାତ୍ର କହିଛନ୍ତି କି ବିଜେଡି ଏଠାରେ ଲଢ଼ିବା ପାଇଁ ଡରିଯାଇଛି । ଏଣୁ ତାରିଖ ଘୁଞ୍ଚାଇବା ପାଇଁ ଚେଷ୍ଟା କରୁଛି ଦଳ । ବିଜେଡି ଏଠାରେ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି । ସେ ଆଜି ନାମାଙ୍କନ ମଧ୍ୟ ଭରିସାରିଛନ୍ତି ।