ନୂଆପଡା (ଏଟିଆର ବ୍ୟୁରୋ); ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୪୦ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଖରିଆର-ବୋଡନ୍-ସିନାପାଲି ରାସ୍ତା, ଗଣ୍ଡାବାହାଲି-ଫର୍ସରା-ବୋଡେନ୍ ରାସ୍ତା ଏବଂ କୋମନା-କାଣ୍ଡେତରା ରାସ୍ତାର ନୂଆଗାଁ ନାଳ ଉପରେ ନିର୍ମିତ ୩ଟି ହାଇଲେଭଲ ସେତୁ ନିର୍ମାଣର ଶୁଭ ଉଦ୍ଘାଟନ କରିଛନ୍ତି।
ସେହିପରି ବୋଡେନ୍, ନୂଆପଡ଼ା ଏବଂ କୋମନା ବ୍ଲକ୍ର ୬ଟି ସଡ଼କ ନିର୍ମାଣ ପ୍ରକଳ୍ପ, ନୂଆପଡ଼ା, ବୋଡେନ୍ ଏବଂ ଖରିଆର ବ୍ଲକ୍ର ୫ଟି ହାଇଲେଭଲ ସେତୁ ପ୍ରକଳ୍ପ, ନୂଆପଡ଼ା ଜିଲ୍ଲା ଲାଇବ୍ରେରି ଏବଂ କୋମନା ବ୍ଲକ୍ ମେଣ୍ଢାତାଲ ହାଇସ୍କୁଲ ନିର୍ମାଣ, ସିନାପାଲି ବ୍ଲକ୍ର ତାଳକୋଟ, ମହେଶ୍ୱର ଏବଂ ଆଖପାଖ ଅଞ୍ଚଳ ପାଇଁ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ, ସିନାପାଲି ବ୍ଲକ୍ର ଲିଟିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭାଷଣରେ କହିଛନ୍ତି, କାଳିଆ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି । ଏପ୍ରିଲ ୧ରେ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ମିଳିବ । ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦିଅନ୍ତୁ । କାଳିଆ ଯୋଜନା ହେଉଛି ଚାଷୀଭାଇଙ୍କ ଯୋଜନା ।
ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ । ହେଲେ ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ, ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟତା ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିବା ସହିତ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତେ ୧୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଛନ୍ତି ନବୀନ ।