ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି ରାଜ୍ୟରେ ସରିଛି ଶେଷ ପର୍ଯ୍ୟାୟ ମତଦାନ । ଇଭିଏମରେ ବନ୍ଦ ହୋଇଛି ନେତାଙ୍କ ଭାଗ୍ୟ । ଆସନ୍ତା ମେ’୨୩ରେ ବାହାରିବ ଫଳାଫଳ । ତେବେ ଆଗୁଆ ବହୁ ରାଜନୈତିକ ବିଶାରଦମାନେ ନିଜର ମତ ଦେଉଛନ୍ତି । ଏହାରି ଭିତରେ ଦୃଢ଼ୋକ୍ତି ଦେଖାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଓଡିଶାରେ କଂଗ୍ରେସ ସରକାର ଗଠନ କରିବ । ସାଧାରଣ ଜନତା ପୁଣିଥରେ ଓଡିଶାରେ କଂଗ୍ରେସ ସରକାର କରିବା ପାଇଁ ଇଛା ବଳାଇଛନ୍ତି । ଏବଂ ସେମାନେ କଂଗ୍ରେସକୁ ମତଦାନ କରିଛନ୍ତି ।
ଉଭୟ ବିଜେପି ଏବଂ ବିଜେଡି ଉଭୟ ଅଧିକ ବ୍ୟୟ ବହୁଳ ପ୍ରଚାର କରିଛନ୍ତି । ଯେଉଁଥିରେ ପଛରେ ରହିଛି କଂଗ୍ରେସ । ଏହି ଦୁଇ ଦଳ ମଧ୍ୟ ପ୍ରଥମ ପର୍ଯ୍ୟାୟରୁ ବହୁ ସ୍ଥାନରେ ହିସାଂ କରିଛନ୍ତି । ବୁଥରେ ପଶି ଇଭିଏମ ମେସିନ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଏଣୁ ଜନତା ଏହାର ଉଚିତ ଜବାବ ଦେଇଥିବେ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ଦିଗରେ କଂଗ୍ରେସର କେନ୍ଦ୍ର ଓ ରାଜ ନେତୃବୃନ୍ଦ ସମସ୍ତ ଦଳୀୟ କର୍ମକର୍ତା ଓ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଓ ଦଳୀୟ କର୍ମୀ ଯେଭଳି କାର୍ୟ୍ୟ କରିଛନ୍ତି ସେଥିପାଇଁ ସେମାନଙ୍କୁ ନିରଞ୍ଜନ ସାଧୁବାତ ଜଣାଇଛନ୍ତି ।
ଚଳିତ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । କେନ୍ଦୁଝର ଘଷିପୁରାରୁ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ଭଣ୍ଡାରିପୋଖରୀରୁ ମଧ୍ୟ ଲଢ଼ିଛନ୍ତି ନିରଞ୍ଜନ । ଚଳିତ ନିର୍ବାଚନରେ ସେ ତୃତୀୟ କୋଟିପତି ପ୍ରାର୍ଥୀ । ତେବେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରେ ରହିବା ପରେ କଂଗ୍ରେସ ପୂର୍ବାପେକ୍ଷା ଉନ୍ନତି କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।