ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବାକିଥିବା ୬ ଲୋକସଭା ଏବଂ ୪୧ ବିଧାନସଭା ଆସନ ପାଇଁ ହୋଇଥିଲା ମତଦାନ । ତେବେ ଚଳିତ ବର୍ଷ ସବୁଠାରୁ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର । ଗତକାଲି ଏଠାରେ ସରିଛି ମତଦାନ । ତିନି ପ୍ରମୁଖ ରାଜନୈତିକ ଦଳ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଚେଷ୍ଠା କରିଛନ୍ତି । ତେବେ ଏହି ସଂସଦୀୟ କ୍ଷେତ୍ରଟି ବିଜେଡି ଗଡ କହିଲେ ଅଚ୍ୟୁକ୍ତି ହେବ ନାହିଁ । ଏଣୁ ପୁଣିଥରେ ଏଠାରେ ବିଜେଡି ବିଜୟ ନିମନ୍ତେ ଆଶା ରଖିଛି ।
ବିଜେଡି ପ୍ରଥମଥର ଲାଗି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଏଠାରେ ଧରଣୀଧର ନାୟକଙ୍କୁ ମଙ୍ଗ ଧରାଇଛି । ଅପରପକ୍ଷରେ ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେଇ ପୁଣିଥରେ ଏଠାରେ ବିଜୟ ଆଶାରେ ରହିଛନ୍ତି ବୈଜୟନ୍ତ । ପୂର୍ବରୁ ବିଜେଡି ଟିକେଟରେ ଦୁଇଥର ବିଜୟ ହୋଇଥିଲେ ବୈଜୟନ୍ତ । ଚଳିତ ବର୍ଷ ସେ ପ୍ରଥମଥର ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଗତକାଲି ଏଠାରେ ପ୍ରାର୍ଥୀ ହୋଇଥିବା ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି ।
କେନ୍ଦ୍ରାପଡା ଲୋକସଭା ଆସନ ମଧ୍ୟରେ ରହିଥିବା ବିଧାନସଭା କ୍ଷେତ୍ରରେ ମଧ୍ୟ ବହୁ ହେବିୱେଟଙ୍କ ଭାଗ୍ୟ ଗତକାଲି ପରୀକ୍ଷା ହୋଇଛି । ଇଭିଏମରେ ବନ୍ଦ ହୋଇଥିବା ସେମାନଙ୍କ ଭାଗ୍ୟ ଆସନ୍ତା ମେ’୨୩ରେ ଜଣା ପଡିବ । ଗତକାଲି ପ୍ରତାପ ଦେବ,ପ୍ରତାପ ଜେନା ଏବଂ ଅଚନୁ ସବ୍ୟସଚୀଙ୍କ ଭଳି ନେତା ମଧ୍ୟ କେନ୍ଦ୍ରାପଡାରେ ଭାଗ୍ୟ ପରୀକ୍ଷା କରିଛନ୍ତି । ତେବେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇନାହିଁ ।