ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସଦ୍ୟ ପ୍ରକାଶ ପାଇଛି ନିର୍ବାଚନୀ ଫଳାଫଳ । କଟକ ଲୋକସଭା ଆସନରେ ଷଷ୍ଠଥର ଲାଗି ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଭର୍ତ୍ତୁହରି ମହତାବ । ଲଗାତାର ଷଷ୍ଠ ବିଜୟ ହୋଇ ନୂଆ ରେକର୍ଡ ମଧ୍ୟ କରିଛନ୍ତି ସେ । ଶ୍ରୀ ମହତାବ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରକାଶ ମିଶ୍ରଙ୍କୁ ଏକ ଲକ୍ଷରର ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଏହି ବିଜୟ ହେବା ପରେ ନିଜ ଗଡକୁ ପୁଣିଥରେ ସେ ବଜାୟ ରଖିବାରେ ସଫଳ ହୋଇଛନ୍ତି ।
୨୦୧୪ ନିର୍ବାଚନ ଅପେକ୍ଷା ଭର୍ତ୍ତୁହରିଙ୍କ ଭୋଟ ହାର କମିଛି । ଚଳିତ ନିର୍ବାଚନରେ ସେ ୫ଲକ୍ଷ ୨୪ ହଜାର ୫୯୨ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରକାଶ ମିଶ୍ର ୪ଲକ୍ଷ ୩ହଜାର ୩୨୯ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସର ହେବିୱେଟ ନେତା ପଞ୍ଚାନନ କାନୁନଗୋ ଏଠାରେ ଶୋଚନୀୟ ପରାଜୟ ବରଣ କରିଛନ୍ତି । ସେ ବିଜେପି ଏବଂ ବିଜେଡି ଲଢ଼େଇରେ ପଛରେ ପଡିଯାଇଥିଲେ ।
ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟ ଏଠାରେ ମଇଦାନକୁ ଓହ୍ଲାଇଥିଲେ । କଡା ଟକ୍କର ହେବ ବୋଲି ପୂର୍ବାନୁମାନ କରାଯାଇଥିଲା । ତେବେ ଶେଷରେ ଭର୍ତ୍ତୁହରି ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ବିଜୟ ହୋଇଥିଲେ । ଦେଶରେ ମୋଦି ଲହର କାମ କରୁଥିବା ବେଳେ କିନ୍ତୁ କଟକରେ ଏହାର ଝଲକ ଦେଖିବାକୁ ମିଳିନଥିଲା । ପୁଣିଥରେ କାମ ଦେଲା ଭର୍ତ୍ତୁଂୟହରିଙ୍କ ପରିଶ୍ରମ । କଟକ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଗୋଟିଏରେ କଂଗ୍ରେସ ବିଜୟୀ (ବାରବାଟୀ-କଟକ) ହୋଇଥିବା ବେଳେ ଗୋଟିଏରେ ଦ୍ବିତୀୟ (ବାଙ୍କି)ରେ ରହିଛି। ଅନ୍ୟ ୫ଟି ଆସନରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ୬ଟି ବିଧାନସଭା ଆସନ ବିଜେଡି ହାତରେ ରହିଛି।