ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିରୁ ତଡା ଖାଇବା ପରେ ନବୀନଙ୍କୁ ବିଭିନ୍ନ ମାମଲାରେ ଟାର୍ଗେଟ କରି ଆସୁଛନ୍ତି ଓଡିଶା ରାଜନୀତିର ପୁରୁଖା ନେତା ଦାମୋଦର ରାଉତ । ଗତକାଲି ବିଜେପିରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦାମଙ୍କ ସମ୍ବର୍ଦ୍ଧନା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇ ଦାମ ପ୍ରଥମ ଭାଷଣରୁ ନବୀନଙ୍କ ବହୁ ଚର୍ଚ୍ଚିତ ଡାଇଲଗ ‘ଆପଣମାନେ ଖୁସି ତ’ରୁ ହିଁ ଆରମ୍ଭ କରିଥିଲେ ନିଜର ଭାଷଣ । ଯାହାକୁ ନେଇ ରାଜନୈତିକ ମହଲରେ ବହୁତ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଦୀର୍ଘ ୪୫ ବର୍ଷ ବିଜେଡି ଏବଂ ଜନତା ଦଳରେ ରହିବା ପରେ ତଡା ଖାଇ ବିଜେପିରେ ଯୋଗ ଦେବା ପରେ ସେ ଦଳୀୟ କର୍ମୀଙ୍କୁ ପଚାରିଛନ୍ତି ଆପଣମାନେ ଖୁସୀ ତ । ତେବେ ଏହି ସମ୍ବର୍ଦ୍ଧନା ସଭାରେ ସେ ନବୀନ ପଟ୍ଟନାୟକ ଏବଂ ତାଙ୍କ ଆଖପାଖ ଅଫିସରଙ୍କୁ ଆକ୍ଷେପ କରି ଟାର୍ଗେଟ କରିଛନ୍ତି । ତେବେ ସେ କହିଛନ୍ତି କି ନବୀନ ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ବିଜେପି ହେଉଛି ଏକମାତ୍ର ବିକଳ୍ପ । କଂଗ୍ରେସଠାରୁ ବହୁ ଆଗରେ ନବୀନ ବିରୋଧୀ ରହିଛି ବିଜେପି । ଏଣୁ ସେ ବିଜେପିରେ ଯୋଗ ଦେଇଛନ୍ତି ।
ବିଜୁବାବୁଙ୍କ କୌଣସି ବି ଗୁଣକୁ ସରି ନୁହଁନ୍ତି ନବୀନ । ବିଜେଡି ସରକାର ଦୁର୍ନୀତିକୁ ପ୍ରସୟ ଦେଉଛି ଏଣୁ ଆଗାମି ଦିନରେ ଏହି ଦଳ କିପରି ଶାସନ ଗାଦିରୁ ହଟିବ ନିଜର ରାଜନୈତିକ କୌଶଳ ଖର୍ଚ୍ଚ କରିବି ଏବଂ ଦଳ ଯେଉଁ କାମ ଦେବ ତାକୁ ସୁଚାରୁରୂପେ ପାଳନ କରିବି ବୋଲି ଦାମ କହିଛନ୍ତି । ତେବେ ସେ ଏଥରକ ପାରାଦୀପରୁ ନଲଢ଼ି ନିଜ ଜନ୍ମମାଟି ବାଲିକୁଦା-ଏରସମାରୁ ଶେଷ ନିର୍ବାଚନ ଲଢ଼ିବେ । ଏବଂ ବିଜେପିକୁ ନିଜର ଅଭିଜ୍ଞତାରେ ସହାୟ ହେବେ ।