ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଏବଂ ୪୧ ବିଧାନସଭା କ୍ଷେତ୍ର ପାଇଁ ଚାଲିଛି ମତଦାନ । ଏହି ୪୧ ବିଧାନସଭା ଆସନ ମଧ୍ୟରୁ ଦୁଇଟି ଆସନରେ ବାପା ଏବଂ ପୁଅଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା ପାଇଁ ରହିଛି । ପାରାଦୀପ ନିର୍ବାଚନ ମଣ୍ଡଳୀ ଛାଡି ବାଲିକୁଦା-ଏରସମାରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଦାମୋଦର ରାଉତ । ଅପରପକ୍ଷରେ ତାଙ୍କ ପୁଅ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ପାରାଦୀପରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଆଜି ଏହି ଦୁଇ ଆସନରେ ମତଦାନ ଚାଲିଛି । ଆସନ୍ତା ମେ’୨୩ରେ ଆଜି ଦେଉଥିବା ପରୀକ୍ଷାରେ ଫଳ ବାହାରିବ ।
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଦାମ ୫ଥର ବିଧାୟକ ହୋଇଥିବା ବେଳେ ପାରାଦୀପରୁ ଦୁଇଥର ବିଧାୟକ ହୋଇଛନ୍ତି । ତେବେ ଏଥରକ ସେ ପ୍ରଥମଥର ଲାଗି ବିଜେପି ପକ୍ଷରୁ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କ ବିପକ୍ଷରେ ବିଜେଡି ପକ୍ଷରୁ ରଘୁନନ୍ଦନ ଦାଶ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଲଲାତେନ୍ଦୁ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ନିଜର ତୁଣ୍ଡ ପାଇଁ ବେଶ ପରିଚିତ ହୋଇଥିବା ଦାମଙ୍କ ଭାଗ୍ୟ ନିର୍ଦ୍ଧାରଣ ଚାଲିଛି ।
ବାପା ବିଜେପିରେ ଯୋଗ ଦେବା ପରେ ମଧ୍ୟ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ପଡିରହିଥିବା ସମ୍ବିତ ରାଉତରାୟଙ୍କ ଉପରେ ଭରଷା କରି ଦଳ ଟିକେଟ ଦେଇଛି । ଏଠାରେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ପୂର୍ବରୁ ତାଙ୍କ ବାପାଙ୍କ ପ୍ରତିଦ୍ୱନ୍ଦୀ ହେଉଥିବା କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍କେଲ(ବାପି) । ବିଜେପି ଏଠାରେ ସମ୍ପଦ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି । ତେବେ ବାପା ପୁଅ ଦୁଇଟି ଅଲଗା ଦଳରେ ରହି ଆଜି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।