ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିଜ ଜିଦରେ ଅଟଳ ଦାମ ରାଉତ । ସଂସାର ଭାସିଗଲେ ମଧ୍ୟ ମୋର କିଛି ଅସୁବିଧା ନାହିଁ । ମୋତେ ମୋର ହକ୍ ଦରକାର । ଏଭଳି ଚର୍ଚ୍ଚା ଏବେ ସବୁଠି ଆରମ୍ଭ ହୋଇଯାଇଛି । ବିଜେଡି ପକ୍ଷରୁ ପୁଅ ସମ୍ବିତଙ୍କୁ ପାରାଦୀପ ଆସନରୁ ବିଧାୟକ ଟିକେଟ ଏବଂ ଝିଅ ପ୍ରିତିନନ୍ଦାଙ୍କୁ ଭୁବନେଶ୍ୱର ମେୟର କରିବା ପାଇଁ ଅଫର କରାଯାଇଥିଲା । ଏହି ସର୍ତ୍ତ ବଳରେ ଦାମଙ୍କୁ ଚୁପ ରହିବା ପାଇଁ ପ୍ରୟାସ କରିଥଲା ବିଜେଡି । ତେବେ ନବୀନ ସରକାର ହଟାଇ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଲକ୍ଷ୍ୟରେ ବାହାରିଛନ୍ତି ଦାମ । ତାଙ୍କ ଆଗରେ ଯେତେ ସର୍ତ୍ତ ରଖିଲେ ସୁଦ୍ଧା ସେ ମାନିବେନି ବୋଲି ପ୍ରମାଣ ହୋଇଯାଇଛି ।
ଦିନ ବେଳା ପୁଅ ସମ୍ବିତ ବିଜେଡି ଟିକେଟ ପାଇଁ ନବୀନ ନିବାସରେ ଡେରା ପକାଇଥିବା ଜାଣିବା ପରେ ମଧ୍ୟ ଦିଲ୍ଲୀ ଯାଇ ବିଜେପିରେ ଯୋଗ ଦେବା ପୁଅ ଝିଅଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ ପାରାଦୀପରେ ଯଦି ଦାମଙ୍କୁ ବିଜେପି ଟିକେଟ ଦିଏ ଏବଂ ବିଜେଡି ପୁଅ ସମ୍ବିତଙ୍କୁ ଟିକେଟ ଦିଅନ୍ତି ତେବେ ସେଠାରେ ବାପ ପୁଅ ଲଢ଼େଇ ହେବ । ଯାହାର ଫାଇଦା କଂଗ୍ରେସକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଦାମ ଅଭିଯୋଗ କରିଛନ୍ତି କି ନବୀନ ତାଙ୍କ ପରିବାର ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି ।
ଦାମଙ୍କ ନିଷ୍ପତି ଆଗାମି ଦିନରେ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇପାରେ । ପୂର୍ବରୁ ନଜିର ରହିଛି କି ବହୁ ତୁଙ୍ଗ ନେତା ବିଜେଡି ଛାଡି ଯାଇଥିଲେ ସୁଦ୍ଧା ବିଜେଡିକୁ କିଛି ପ୍ରଭାବ ପଡିନାହିଁ । ଉଦାହରଣ ସ୍ୱରୁପ ଓଡିଶା ରାଜନୀତିର ଚାଣକ୍ୟ କୁହାଯାଉଥିବା ସ୍ୱର୍ଗତ ପ୍ୟାରିମୋହନ ମହାପାତ୍ର ଦଳରୁ ବହିଷ୍କାର ହେବା ପରେ ବିଜେଡି ୁପରେ ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେହି ଚର୍ଚ୍ଚା ଚର୍ଚ୍ଚାରେ ରହିଯାଇଥିଲା । ଏଣୁ ଦାମ ଦଳ ଛାଡିବା ପରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି । କିନ୍ତୁ ଦଳରେ ଜଣେ ସକ୍ରିୟ କର୍ମୀ ଭାବରେ କାମ କରୁଥିବା ପୁଅ ଉପରେ ବାପାଙ୍କ ନିଷ୍ପତିର ପ୍ରଭାବ ପଡିପାରେ ଏବଂ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।