ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ଉପରେ ରହିଛି ସମସ୍ତଙ୍କ ନଜର । ଶେଷ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବହୁ ଧନୀ ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଳାଉଛନ୍ତି । ଆଉ ମାତ୍ର ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ବାକି ରହିଛି ମତଦାନ । ତେବେ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଥିବା ପ୍ରାର୍ଥୀମାନେ ମାଲଦାର ପାର୍ଟି । କାରଣ ସେମାନେ ନିଜର ନାମାଙ୍କନ ସମୟରେ ନିଜର ସମ୍ପତିର ମୂଲ୍ୟ ଦେଇଛନ୍ତି । ଶେଷ ପର୍ଯ୍ୟାୟରେ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବା ୩୩୪ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୮୧ ଜଣ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି । ବିଜେଡ଼ିରେ ସର୍ବାଧିକ ୨୭ ଜଣ , କଂଗ୍ରେସର ୨୩ ଜଣ ଓ ବିଜେପିର ୨୦ ଜଣ ପ୍ରାର୍ଥୀ କୋଟିପତି । ଆସନ୍ତୁ ଜାଣିବା ଶେଷ ପର୍ଯ୍ୟାୟ ମତଦାନରେ ଭାଗ ନେଉଥିବା ପ୍ରାର୍ଥୀଙ୍କ ମଧ୍ୟରେ କାହା ପାଖରେ ରହିଛି କେତେ ଟଙ୍କାର ସମ୍ପତି ।
ନବଜ୍ୟୋତି ପଟ୍ଟନାୟକ-ବାଲେଶ୍ୱର ଲୋକସଭା ଆସନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ତେବେ ତାଙ୍କର ସମ୍ପତିର ମୂଲ୍ୟ ରହିଛି ୧୦୪ କୋଟି ଟଙ୍କା ।
ରବିନ୍ଦ୍ର ଜେନା-ବିଜେଡି ସାଂସଦ ତଥା ଚଳିତ ନିର୍ବାଚନରେ ବାଲେଶ୍ୱର ଲୋକସଭା ପ୍ରାର୍ଥୀ । ରବିନ୍ଦ୍ରଙ୍କ ସମ୍ପତିର ପରିମାଣ ରହିଛି ୭୨ କୋଟି ।
ନିରଞ୍ଜନ ପଟ୍ଟନାୟକ-ପିସିସି ସଭାପତି ଚଳିତ ବର୍ଷ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଘସିପୁରା ମତଦାନ ପରେ ବାକି ରହିଛି ଭଣ୍ଡାରିପୋଖରୀରେ ଭାଗ୍ୟ ନିର୍ଦ୍ଧାରଣ । ତାଙ୍କ ସମ୍ପତିର ପରିମାଣ ରହିଛି ୬୦ କୋଟି ।
ଚିରଞ୍ଜିବି ବିଶ୍ୱାଳ-ଜଗତସିଂହପୁରର ତୁଙ୍ଗ ନେତା ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା । ଚଳିତ ନିର୍ବାଚନରେ ଜଗତସିଂହପୁରରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସମ୍ପତିର ମୂଲ୍ୟ ରହିଛି ୩୩ କୋଟି ।
ପ୍ରଣବ କୁମାର ବଳବନ୍ତରାୟ-ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସମ୍ପତିର ମୂଲ୍ୟ ରହିଛି ୧୭ କୋଟି ।
ବୈଜୟନ୍ତ ପଣ୍ଡା-ଓଡିଶାର ଜଣାଶୁଣା ବ୍ୟବସାୟୀ ବଇଶୀ ପଣ୍ଡାଙ୍କ ପୁଅ ବୈଜୟନ୍ତ ପଣ୍ଡା । ବିଜେଡି ପକ୍ଷରୁ କେନ୍ଦ୍ରାପଡାରେ ଦୁଇଥର ସାଂସଦ ହୋଇଥିଲେ । କିନ୍ତୁ ଏବେ ସେ ବିଜେପି ପକ୍ଷରୁ କେନ୍ଦ୍ରାପଡାରୁ ସାଂସଦ ଭାବରେ ଲଢ଼ୁଛନ୍ତି । ତାଙ୍କ ସମ୍ପତିର ମୂଲ୍ୟ ରହିଛି ୫୭ କୋଟି ।