ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କାଲି ଯିଏ ଶତ୍ରୃ ଆଜି ସିଏ ମିତ୍ର । କିଏ କେତେବେଳେ କେଉଁ ଦଳରେ ସାମିଲ ହେଉଛି ଜାଣିବା କାଠିକର ପାଠ ହୋଇ ଯାଉଛି । ତେବେ ଉପରେ ନେତାମାନେ ପାର୍ଟି ଅଫିସରେ କୋଳାକୋଳି ହେଉଥିବା ବେଳେ ନେତାଙ୍କ ପଛରେ ବାହାରିଥିବା ଲୋକ ଗାଁରେ ଦଳାଦଳି ହେଉଥିବା ଦେଖିବାକୁ ମିଳିଛି । ନେତାମାନେ ଆଜି ଯାହାକୁ ଦଳରେ ରହି ଗାଳି କରୁଛନ୍ତି କାଲି ସେହି ଦଳରେ ଯୋଗ ଦେଇ ତାର ପାଦ ଛୁଉୁଁଥିବା ନଜରକୁ ଆସୁଛି । ନିର୍ବାଚନୀ ବିଗୁଲ ବାଜିବା ପରେ ରାଜ୍ୟ ରାଜନୀତିରେ ଦଳ ଅଦଳ ବଦଳ ଚାଲିଛି ।
ନେତାମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଥିବା ବେଳେ ସେମାନଙ୍କ କିଛି ସମର୍ଥକ ମଧ୍ୟ ଦଳ ଛାଡି ଦେଉଛନ୍ତି । କିନ୍ତୁ କିଛି ଅସନ୍ତୁଷ୍ଟ ଜନତା ଯେଉଁ ଦଳରେ ଥିଲେ ସେହି ଦଳରେ ରହି ଯାଉଛନ୍ତି । ତେବେ ନେତାମାନେ ଏକ ହୋଇ ମଜା କରୁଥିବା ବେଳେ ଗାଁରେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହେଉଛି ତୁମ୍ବି ତୋଫାନ । ନେତା ରାଜଧାନୀ ଯାଇ ମଜା କରୁଥିବା ବେଳେ ଗାଁରେ ଲୋକମାନେ ସଜା ଭୋଗୁଛନ୍ତି ବୋଲି ଶୁଣିବାକୁ ମିଳିଛି । କେତେକ ଗାଁରେ ବାପା ଜଣଙ୍କୁ ସମର୍ଥନ କରୁଥିବା ବେଳେ ପୁଅ ଅନ୍ୟ ଜଣଙ୍କ ସାଥୀରେ ପ୍ରଚାର ପାଇଁ ବାହାରୁଛି । ଯାହାକୁ ନେଇ ପରିବାରରେ ଦେଖାଦେଉଛି ଅସନ୍ତୋଷ । କିନ୍ତୁ ଜନତାମାନେ ସବୁ ଜାଣିଶୁଣି ମଧ୍ୟ କୁଜି ନେତାଙ୍କ ଲାଙ୍ଗୁଡ ଧରି ଗଣ୍ଡଗୋଳ କରିବା ପାଇଁ ପଛାଉ ନାହାଁନ୍ତି ।