ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ନିର୍ବାଚନକୁ ଆହୁରି ତିନି ଚାରି ମାସ ବାକି ଅଛି ହେଲେ ଏବେ ଠୁ ଆରମ୍ଭ ହୋଇଗଲାଣି ପ୍ରତିଶ୍ରୁତିର ପ୍ରତିଯୋଗୀତା । କିଏ କ୍ଷମତାକୁ ଆସିଲେ କଣ କରିବ, ତାହାକୁ ନେଇ ଚାଲିଛି ଗୋଡାଗୋଡି । କେବେ ବିଜଦ ଆଗରେ , ପୁଣି କେବେ ଭାଜପା । ଆଉ ଏବେ ଏ ପ୍ରତିଯୋଗୀତାରେ ଧସେଇ ପଶିଛି କଂଗ୍ରେସ । ଦୀର୍ଘଦିନ ଧରି ଓଡିଶାରେ କଂଗ୍ରେସ କ୍ଷମତା ଠାରୁ ଅନେକ ଦୂରରେ ଥିବା ବେଳେ ତିନି ରାଜ୍ୟର ନିର୍ବାଚନ ଫଳାଫଳ ରାଜ୍ୟ କଂଗ୍ରେସ ମନରେ କ୍ଷମତାକୁ ଫେରିବାର ବୀଜ ବୁଣିଛି । ନୂଆ ଆଶା ଓ ନୂଆ ସମ୍ଭାବନା ସହ ରାଜ୍ୟ କଂଗ୍ରେସ ବି ରାଜନୀତି ମଇଦାନକୁ ଫିଙ୍ଗିଛି ପ୍ରତିଶ୍ରୁତିର ଟାଇମବମ୍ । ଏ ବୋମା ନିର୍ବାଚନରେ ଫାଟିବ କି ନାହିଁ ତ ସମୟ କହିବ, କିନ୍ତୁ ଏ ବୋମା ଯେ, ଶାସକ ଦଳ ମନରେ ଭୟ ସଂଚାର କଲାଣି ତାହାକୁ ଅସ୍ୱୀକାର କରାଯାଇ ନପାରେ ।
ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଢ଼ିବା ପରେ ଉତୁଫୁଲିତ ଓଡିଶା କଂଗ୍ରେସ ମନରେ ଶାସନକୁ ଫେରିବାର ଆଶା ସଂଚାର ହୋଇଛି । ସେହି ତିନି ରାଜ୍ୟରେ କଂଗ୍ରେସ ଯେଉଁ ପ୍ରତିଶ୍ରୁତିର ପିରାମିଡ ତିଆରି କରିଥିଲା, ଠିକ ସେଇ ଢ଼ାଂଚାରରେ ଓଡିଶାରେ ବି ଇମାର ତୋଳିବ କଂଗ୍ରେସ । ଏନେଇ ପ୍ରକ୍ର୍ରିୟା ବି ଆରମ୍ଭ ହୋଇଗଲାଣି । ଏହା ଭିତରେ ପିସିସି ସଭାପତି ନିରଜଂନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଛତିଶଗଡ ଯାଇ ନୂଆ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ପଦ୍ମକୁ ପଙ୍ଗୁ କରି ଦେଇଥିବା ବାଘେଲଙ୍କ ଠାରୁ କ୍ଷମତାକୁ ଫେରିବାର ରଣକୌଶଳ ଉଧାର ଆଣିଛି ଓଡିଶା କଂଗ୍ରେସ । ତେବେ ୨୦୧୯ରେ ଓଡିଶାରେ କଂଗ୍ରେସ ସରକାର ଆସିଲେ ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ତୁରନ୍ତ କୃଷିଋଣ ଛାଡ କରାଯିବ ବୋଲି ଆଗୁଆ ପ୍ରତିଶ୍ରୁତି ଦେଇ ସାରିଲାଣି ଓଡିଶା କଂଗ୍ରେସ । ଏହାସହ ସରକାର ଗଢ଼ିବାର ମାତ୍ର ୧୦ଘଂଟା ଭିତରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ଟଙ୍କାକୁ ବୃଦ୍ଧି ହେବ ବୋଲି ନିରଂଜନ ପଟ୍ଟନାୟକ ସୋସିଆଲ ମିଡିଆରେ ଲେଖିଛନ୍ତି । ଏହାସହ ଛତିଶଗଡ ସରକାରଙ୍କ ସହ କଥା ହୋଇ ନିର୍ବାଚନ ପୂର୍ବରୁ ମହାନଦୀ ବିବାଦର ସମାଧାନ ହେବ ବୋଲି ବି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ସେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ବେଳେ ଆଲୋଚନା ସକରାତ୍ମକ ଥିବା ନିରଂଜନ କହିଛନ୍ତି । ଏହାଛଡା ପ୍ରାଥମିକ ଚିକିତ୍ସା ସୁବିଧା, ଶିକ୍ଷା ବ୍ୟବସ୍ଥାରେ ଉନ୍ନତି, ଲଘୁ ଉଦ୍ୟୋଗ ପ୍ରତିଷ୍ଠା, ରାଉରକେଲା ସୁପର ସ୍ପେଷାଲିଟି ହସପିଟାଲ ପ୍ରସଙ୍ଗ ବି ୨୦୧୯ ନିର୍ବାଚନରେ କଂଗ୍ରେସ ପାଇଁ ମୁଖ୍ୟ ମୁଦ୍ଦା ହେବ । ତେବେ ବିଜେଡି ଓ ବିଜେପିର ପ୍ରତିଶ୍ରୁତିରେ ଓଡିଶା ଲୋକେ ବାରମ୍ବାର ପ୍ରତାରଣା ପାଉଥିବାରୁ ଏଥର କଂଗ୍ରେସ ଉପରେ ଓଡିଶାବାସୀ ଭରସା କରିବେ ବୋଲି ରାଜ୍ୟ କଂଗ୍ରେସ ଆଶାବାଦୀ ରହିଛି ।