ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିକୁ ବାଏ ବାଏ କହିଛନ୍ତି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ । ତେବେ ତ୍ରିନାଥଙ୍କ ଦଳ ଛାଡିବା ବିଜେଡି ପାଇଁ ଗୁଣୁପୁରେ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା । ଏଣୁ ସେ ନବୀନ ନିବାସରୁ ଫେରିବା ପରେ ଆଜି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଗୁଣୁପୁରରେ ଗତ ୧୬ ତାରିଖରେ ମିଶ୍ରଣ ପର୍ବ କରାଯାଇଥିଲେ ସୁଦ୍ଧା ମୋତେ ଡକାଯାଇନଥିଲା । ଯାହାକି ମୋତେ ମର୍ମାହତ କରିଛି । ଏଣୁ ମୁଁ ବିଜେଡି ସୁପ୍ରିମୋଙ୍କ ନିକଟକୁ ଇସ୍ତଫା ପଠାଇଛି ବୋଲି କହିଛନ୍ତି ତ୍ରିନାଥ ।
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଶଳା ହେଉଛନ୍ତିି ତ୍ରିନାଥ ଗମାଙ୍ଗ । ଗୁଣୁପୁରରେ ତାଙ୍କର ଭଲ ଲୋକ ପ୍ରିୟତା ଥିଲେ ସୁଦ୍ଧା ଦଳ ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେବନାହିଁ ବୋଲି ଚର୍ଚ୍ଚା ହେଉଥିଲା । ଏଣୁ ସେ ଦଳ ଛାଡିଛନ୍ତି ବୋଲି ଶୁଣିବାକୁ ମିଳିଛି । ଅପରପକ୍ଷରେ ସେ କେଉଁ ଦଳରେ ଯୋଗ ଦେବେ ତାହା ଜଣାଇନାହାଁନ୍ତିି କିନ୍ତୁ ଦୁଇ ଦିନ ଭିତରେ ସେ ସ୍ପଷ୍ଟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭିଣୋଇ ଗିରିଧର ବିଜେପିରେ ଥିବା ବେଳେ ଭଉଣୀ ହେମା ପୁଣିଥରେ କଂଗ୍ରେକୁ କମବ୍ୟାକ କରିଛନ୍ତି । ଏଣୁ ତ୍ରିନାଥ କାହା ସହ ସାଥ ଦେବେ ତାହା ଜଣା ପଡିନାହିଁ ।
୨୦୦୯ ନିର୍ବାଚନରେ ସେ ଦଳରେ ଯୋଗ ଦେଇଥିଲେ । ଏବଂ ୨୦୧୪ରେ ସେ ବିଜେଡି ଟିକେଟରେ ବିପୁଳ ଭୋଟରେ ବିଜୟ ହୋଇଥିଲେ । ୧୦ ବର୍ଷ ଧରି ଦଳ ପାଇଁ ବହୁ କାମ କରିଥିଲେ ସୁଦ୍ଧା ଦଳରେ ଗଣ୍ଡା ଗଣ୍ଡା ଆଶାୟୀ ପ୍ରାର୍ଥୀ ଥିବାରୁ ଦଳରେ ତାଙ୍କୁ ଅବହେଳା କରାଯାଉଥିଲା । ଏଣୁ ସେ ବାଧ୍ୟ ହୋଇ ଦଳ ଛାଡିଛନ୍ତି । ଆଗାମୀ ଦୁଇ ଦିନ ମଧ୍ୟରେ ନିଜର ସମର୍ଥକଙ୍କ ସହିତ ଆଲୋଚନା କରିବା ପରେ ସେ କେଉଁ ଦଳକୁ ଯିବେ ଜଣାଇବେ ବୋଲି ସୂଚନା ଦେଇଛନ୍ତି ।